ଶିଶୁପୁତ୍ରକୁ ଧରି ନଦୀକୁ ଡେଇଁଲେ ମାଆ

ପିପିଲି: କୋଳରେ ଶିଶୁପୁତ୍ର । ଚାଲି ଚାଲି ଆସିଲେ, କେହି କିଛି ବୁଝିବା ଆଗରୁ ନଦୀକୁ ଡେଇଁ ପଡିଲେ ମହିଳା । ପ୍ରାୟ ଏକ ଘଣ୍ଟା ପାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମିତି ଘଟଣା ଘଟିଛି ପିପିଲି ଅଞ୍ଚଳରେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମହିଳା ଜଣଙ୍କ କୋଳରେ ଶିଶୁପୁତ୍ରକୁ ଧରି ଭାର୍ଗବୀ ନଦୀର ହରିପୁର ବ୍ରିଜ ନିକଟକୁ ଆସିଥିଲେ । ଏହାପରେ ହଠାତ, ପିଲାକୁ ଧରି ନଦୀକୁ ଡେଇଁ ପଡିଥିଲେ । ଏକ ଘଣ୍ଟା ପରେ ପିପିଲି ସୁନାପଦା ନିକଟରେ ମହିଳା ଓ ଶିଶୁର ମୃତଦେହ ଉଦ୍ଧାର କରିଥିଲେ ଗ୍ରାମବାସୀ ।

ମୃତ୍ୟୁବରଣ କରିଥିବା ମହିଳା ଓ ତାଙ୍କ ପିଲାର ପରିଚୟ ମିଳିପାରି ନାହିଁ । ମହିଳା ଜଣଙ୍କ ନିଜର ଜନ୍ମକଲା ପିଲାକୁ ଧରି କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି ।

ଖବର ପାଇଁ ପିପିଲି ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି ।