ପୋଲିସ ଅପାରଗତା ଆଇନଶୃଙ୍ଖଳକୁ ବିଗାଡ଼ି ଦେଇଛି: ବିଜେଡି

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସ ଅତ୍ଯାଚାର ନେଇ ବିଜେଡିର ଗୁରୁତ୍ଵାରୋପ । ପ୍ରେସମିଟ୍ କରି ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କହିଛନ୍ତି, ଯାହାକୁ ଆମେ ରକ୍ଷାକର୍ତ୍ତା ବୋଲି ବିଶ୍ଵାସ କରୁଛେ ସେମାନେ ଅତ୍ଯାଚାର କରୁଛନ୍ତି । ପୋଲିସର ଅପାରଗତା ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତିର କଦର୍ଯ୍ଯ ଗତି ହୋଇଛି । ଲାଗୁଛି ରାଜ୍ଯରେ ସାଧାରଣ ଲୋକ ସୁରକ୍ଷିତ ନାହାନ୍ତି ।

ଆଗକୁ ସେ କହିଛନ୍ତି, ସେନାର ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହଇରାଣ କରୁଛି ଓଡ଼ିଶା ପୋଲିସ । ପୋଲିସର ଦାୟିତ୍ଵ ଜନତାଙ୍କ ସୁରକ୍ଷା କରିବା । ହେଲେ ପୂରା ତଳସ୍ତରକୁ ଚାଲି ଯାଇଛି ପୋଲିସ । ସେନା ଅଧିକାରୀଙ୍କୁ ଥାନାରେ କରାଯାଇଥିଲା ଅସଦାଚରଣ । ଥାନାରେ ନଥିଲେ ଆଇଆଇସି । ମେଜରଙ୍କୁ ଅବାନ୍ତର ପ୍ରଶ୍ନ ପଚାରିଥିଲେ ଦାୟିତ୍ଵରେ ଥିବା ମହିଳା ଅଧିକାରୀ । ମହିଳା ପୋଲିସ ଅଧିକାରୀ ନାଇଟି ପିନ୍ଧି ଥାନାରେ ବସିଥିଲେ । ଥାନାର ମିଳୁନି ସେହି ସମୟର ସିସିଟିଭି ଭିଡିଓ । ଘଟଣା ନେଇ ସେନା କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇ ନଥିଲା । ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୟନୀୟ ଭାବେ ମାଡ଼ ମରାଯାଇଛି । ମେଜରଙ୍କ ବାନ୍ଧବୀଙ୍କ ମାଢି ଭାଙ୍ଗି ଯାଇଛି । ଏପରି ଘଟଣା ଓଡ଼ିଶାରେ କେବେ ଦେଖାଯାଇ ନଥିଲା । ଥାନାରେ ସେହିଦିନ କାହିଁକି ବନ୍ଦ ଥିଲା ସିସିଟିଭି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୋଲିସ କର୍ତ୍ତୃପକ୍ଷ ଜାଣିଶୁଣି ସିସିଟିଭିକୁ ବନ୍ଦ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ବରିଷ୍ଠ ପୋଲିସ କର୍ତ୍ତୃପକ୍ଷ କ’ଣ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି ? ମାମଲାରେ ପୋଲିସ କର୍ମୀଙ୍କ ଉପରେ କାହିଁକି ହୋଇନି କାର୍ଯ୍ଯାନୁଷ୍ଠାନ ? ପୋଲିସ ଡିଜି ଥାନାର କର୍ମଚାରୀଙ୍କ ଉପରେ କ’ଣ ଆକ୍ସନ ନେଇଛନ୍ତି ବୋଲି ବିଜେଡି ପ୍ରଶ୍ନ କରିବା ସହ ପୋଲିସ ଡିଜି ତୁରନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି ।