ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର, ଯାଞ୍ଚ କରିବ ଏଏସଆଇ

ପୁରୀ: ଆସନ୍ତାକାଲି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ ପକ୍ଷରୁ ଆସନ୍ତାକାଲି ରତ୍ନଭଣ୍ଡାରର କରାଯିବ ପ୍ରାରମ୍ଭିକ ନିରୀକ୍ଷଣ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ ।

ଏଏସଆଇର  ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ କାର୍ଯ୍ୟ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା  ଅନୁସାରେ ଏହା ଅନୁଷ୍ଠିତ ହେବ । ଆସନ୍ତାକାଲି ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ । ଏହାପରେ ଅନାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇ ଦ୍ବିତୀୟ ଭୋଗ ମଣ୍ଡପ ପରେ ରତ୍ନଭଣ୍ଡାର ନିରୀକ୍ଷଣ କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କିଣିବାକୁ ଥିବା ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।