ଗୁଣ୍ଡାଙ୍କ ମୁଣ୍ଡରେ ବିଜେପି ନେତାଙ୍କ ହାତ, ପୋଲିସ ଚୁପ୍

1 min read

ଟିଟିଲାଗଡ଼: ବିଜେପି ସରକାରକୁ ଆସିବା ପରଠାରୁ ବିଗିଡି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି । ବଢି ଚାଲିଛି ବିଜେପି ନେତା ଓ କର୍ମୀଙ୍କ ଉତ୍ପାତ । ଇନ୍ଦ୍ରଚନ୍ଦ୍ର କିଛି ମାନୁନାହାନ୍ତି ବିଜେପି ଗୁଣ୍ଡା । ଯାହାକୁ ପାରୁଛନ୍ତି କରୁଛନ୍ତି ଆକ୍ରମଣ । ଗୁଣ୍ଡାଙ୍କ ଉପରେ ବଡ଼ ବଡ଼ ନେତାଙ୍କ ଆଶୀର୍ବାଦ ରହିଥିବାରୁ ଏତଲା ପରେ ବି ପୋଲିସ ପାଟି ଖୋଲୁନି । ଯାହାର ପ୍ରମାଣ ହେଉଛି ଗତକାଲି ରାତିରେ ଟିଟିଲାଗଡ଼ ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ଼ ଘଟଣା ।

ଡାକ୍ତରଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ନେଇ ଅଭିଯୋଗ ଆସିଛି । ଜଣେ ରୋଗୀଙ୍କ ମୃତ୍ଯୁକୁ ନେଇ ଡାକ୍ତର ଗୌରବ ପଣ୍ଡାଙ୍କୁ ମାଡ ମାରିଛନ୍ତି ଜଣେ ବିଜେପି କର୍ମୀ । ଟିଟିଲାଗଡ଼ ଥାନାରେ ଡାକ୍ତରଙ୍କ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରେ ଡାକ୍ତର ଗୌରବ ପଣ୍ଡାଙ୍କୁ ବିଜେପି କର୍ମୀ ଟାଣି ନେଇ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ତା’ପରେ ବି ଟିଟିଲାଗଡ଼ ପୋଲିସ ତଦନ୍ତ ଆଳରେ ସମୟ ଗଡ଼ାଇ ଚାଲିଛି ।

ଗତକାଲି ରାତିରେ ଟିଟିଲାଗଡ ସର୍ଗିଗୁଡାର ବିରଞ୍ଚି ସାହୁ ନାମକ ଜଣେ ବିଜେପି କର୍ମୀଙ୍କ ହୃଦଘାତ ପରେ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା । କାର୍ଯ୍ୟରତ ଡାକ୍ତର ଗୌରବ ପଣ୍ଡା ଓ ଡାକ୍ତର ପ୍ରଶାନ୍ତ ତ୍ରିପାଠୀ ବିରଞ୍ଚିଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ କିଛି ବିଜେପି କର୍ମୀ ମେଡିକାଲରେ ପହଞ୍ଚିଥିଲେ । ଡାକ୍ତରଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ ଆଣି ସେମାନେ ମେଡିକାଲରେ ହୋହଲ୍ଲା କରିଥିଲେ । ଖୋଦ୍ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମେଡିକାଲରେ ଉପସ୍ଥିତ ଥିବା ବେଳେ ବିଜେପି କର୍ମୀମାନେ କାର୍ଯ୍ୟରତ ଡାକ୍ତର ଗୌରବ ପଣ୍ଡା ଓ ପ୍ରଶାନ୍ତ ତ୍ରିପାଠୀଙ୍କୁ ଟାଣି ନେଇ ଆକ୍ରମଣ କରିଥିଲେ I କଲର ଧରି ଟାଣିବା ସହିତ ମୁଥ ମାରିଥିଲେ ବୋଲି ଅଭିଯୋଗ ହୋଇଛି ।

ବିରଞ୍ଚି ସାହୁ ଜଣେ ବିଜେପିର ବରିଷ୍ଠ କର୍ମୀ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମଧ୍ୟ ଏହି ସମୟରେ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ବିଧାୟକଙ୍କ ଉପସ୍ଥିତିରେ ସମର୍ଥକମାନେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମରିଥିବା ଏକ ଭିଜୁଆଲ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଆକ୍ରମଣ କରିଥିବା ଅଭିଯୋଗ ନେଇ ଆଜି ଟିଟିଲାଗଡ ଥାନାରେ ଏତଲା ଦେଇଛନ୍ତି ମାଡ ଖାଇଥିବା ୨ ଡାକ୍ତର ।

ଟିଟିଲାଗଡ ମେଡିକାଲରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଡାକ୍ତରମାନେ ନିଜକୁ ସୁରକ୍ଷିତ ମନେ କରୁ ନଥିବା ଅଭିଯୋଗ ହୋଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାସ୍ଥ୍ୟକର୍ମୀ ଦାବି କରିଛନ୍ତି  I ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭକ୍ତପ୍ରସାଦ ଗୁରୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଘଟଣା ପରେ ଡାକ୍ତରମାନେ ଭୟଭୀତ ଥିବା କହିଛନ୍ତି ।