ନ୍ୟୁୟର୍କ ସ୍ବାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା, ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ

ନନ୍ଦିଘୋଷ ବ୍ୟୁରୋ:  ଆମେରିକାରେ ଥମୁନି ଭାରତ ଓ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ । ନ୍ୟୁର୍ୟକରେ ଥିବା ସ୍ବାମୀ ନାରାୟଣ ମନ୍ଦିରରେ ଦୃର୍ବୁତ୍ତ ଭଙ୍ଗାରୁଜା କରିବା ସହିତ ମନ୍ଦିର କାନ୍ଥରେ ମୋଦିଙ୍କ ବିରୁଦ୍ଧରେ ଅପଶବ୍ଦର ପ୍ରୟୋଗ କରାଯାଇଛି । ଏହି ଘଟଣା ପରଠାରୁ ସେଠାରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସରକାରଙ୍କ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କେବଳ ଏତିକି ନୁହଁ ଆମେରିକାରେ ଥିବା ବିଭିନ୍ନ ହିନ୍ଦୁ ମନ୍ଦିର ଗୁଡିକରେ ଏହି ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଯାହାକୁ ଦୃଢ ନିନ୍ଦା କରିଛି ନ୍ୟୁର୍ୟକରେ ସ୍ଥିତ ଭାରତୀୟ ଦୂତବାସ ।

ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯିବା ସହିତ ନ୍ୟୁୟର୍କର ମେଲଭିଲରେ ଥିବା BAPS ସ୍ବାମୀ ନାରାୟଣ ମନ୍ଦିରରେ ହେଇଥିବା ଘଟଣାକୁ ନିନ୍ଦା କରାଯାଇଛି । ଉତ୍ତର ଆମେରିକାର ବିଭିନ୍ନ ହିନ୍ଦୁ ମନ୍ଦିରରେ ମଧ୍ୟ ଏଭଳି ସମାନ ଘଟଣା ଘଟୁଥିବା ଦାବି କରାଯାଇଛି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସର ତରଫରୁ ଟ୍ୱିଟରରେ ଏକ ପୋଷ୍ଟ କରାଯାଇଛି ।  ‘ନ୍ୟୁୟର୍କର ମେଲଭିଲ୍ଲାର BAPS ସ୍ବାମୀ ନାରାୟଣ ମନ୍ଦିରରେ ହୋଇଥିବା ଭଙ୍ଗାରୁଜା ଗ୍ରହଣୀୟ ନୁହେଁ। ଦୂତାବାସ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛି ଏବଂ ଏହି ଜଘନ୍ୟ ଘଟଣାର ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଆଇନ ପ୍ରଣୟନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି।

BAPS ସ୍ବାମୀ ନାରାୟଣ ସଂସ୍ଥା ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଯେଉଁମାନେ ଏହି ଅପରାଧ କରିଛନ୍ତି ସେମାନଙ୍କୁ ସଦବୁଦ୍ଧି ଏବଂ ମାନବିକତା ରଖିବା ପାଇଁ ଆମେ ପ୍ରାର୍ଥନା କରୁଛୁ। BAPS ସ୍ବାମୀ ନାରାୟଣ ସଂସ୍ଥା କହିଛି ଯେ ଏଭଳି ଘଟଣା ପାଇଁ ଆମେ ଦୁଃଖିତ  । ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ଗତକାଲି ରାତିରେ ମନ୍ଦିରରେ ଘଟିଥିବା ଘଟଣା କିଛି ନୂଆ ନୁହେଁ ପୂର୍ବରୁ ମଧ୍ୟ ଉତ୍ତର ଆମେରିକାର ବିଭିନ୍ନ ହିନ୍ଦୁ ମନ୍ଦିରରେ ମଧ୍ୟ ଏହିପରି ଅପମାନଜନକ ଘଟଣା ଘଟିଛି। ଅନ୍ୟପକ୍ଷରେ ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି। ସେ କହିଛନ୍ତି କି ଆମେରିକାର ନ୍ୟାୟ ବିଭାଗ ଏବଂ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେଉ ।