ରାହୁଲଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ, ଶିବସେନା ନେତାଙ୍କ ବିବାଦୀୟ ମନ୍ତବ୍ୟ

ନନ୍ଦିଘୋଷ ବ୍ୟୁରୋ: ରାହୁଲଙ୍କ ଜିଭ କାଟିଲେ ୧୧ଲକ୍ଷ ପୁରସ୍କାର ଦେବି, ରାହୁଲଙ୍କ ବିରୋଧରେ ଏଭଳି କହି ବିବାଦରେ ଶିବସେନାର ବିଧାୟକ ସଞ୍ଜୟ ଗାଇକଓ୍ବାଡ । ଆଗକୁ ମହାରାଷ୍ଟ୍ରର ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାକୁ ଥିବା ବେଳେ ଶିବସେନା ଓ କଂଗ୍ରେସର ନେତାମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି । ଏହି ସମୟରେ ଶିବସେନା ବିଧାୟକ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଦେଇଥିବା ବୟାନ ନେଇ ଚାରଆଡୁ ନିନ୍ଦିତ ହେଉଛନ୍ତି ।

ସଞ୍ଜୟ ଗାଏକ୍ୱାଡ କହିଛନ୍ତି, ” ରାହୁଲ ନିଜ ଆମେରିକା ଗସ୍ତରେ ଭାରତର ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ବୟାନ ଦେଇଛନ୍ତି, ଯାହା ଜନସାଧାରଣଙ୍କ ସମ୍ମୁଖରେ କଂଗ୍ରେସର ପ୍ରକୃତ ମୁଖା ଖୋଲିଦେଇଛି’’ ।  ଗୋଟିଏ ପଟେ ମହାରାଷ୍ଟ୍ରରେ ସଂରକ୍ଷଣ ଦାବି ବଢ଼ୁଥିବା ବେଳେ ଅନ୍ୟପଟେ ରାହୁଲ ଗାନ୍ଧି ଦେଶରେ ସଂରକ୍ଷଣ ବ୍ୟବସ୍ଥା ଶେଷ ହେବ ବୋଲି ବୟାନ ଦେଉଛନ୍ତି। ଏବେ ସେ ଦେଶରୁ ସଂରକ୍ଷଣ ଶେଷ କରିବା କଥା କହି କଂଗ୍ରେସର ଅସଲ ଚରିତ୍ର ସାମ୍ନାକୁ ଆଣିଛନ୍ତି।

ଯେକୌଣସି ଲୋକ ରାହୁଲ ଗାନ୍ଧିଙ୍କ ଜିଭ କାଟିବ, ମୁଁ ତାଙ୍କୁ ପୁରସ୍କାର ଆକାରରେ ୧୧ ଲକ୍ଷ ଟଙ୍କା ଦେବି। “ଗାଇକୱାଡ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ସମ୍ବିଧାନ ପୁସ୍ତକ ଦେଖାଇ ମିଥ୍ୟା ପ୍ରଚାର କରୁଛନ୍ତି ଯେ ବିଜେପି ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି । କଂଗ୍ରେସର ଏହି ମାନସିକତା ଦେଶକୁ ୪୦୦ ବର୍ଷ ପଛକୁ ନେଇଯିବ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଗାଏକ୍ୱାଡ୍‌ଙ୍କ ଏହି ବୟାନକୁ ନିନ୍ଦା କରାଯାଇଛି। ରାଜନୀତି କରିବାକୁ ସେ ଯୋଗ୍ୟ ନୁହନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ଅତୁଲ ଲୋଢ଼ା କହିଛନ୍ତି। ଗାଏକ୍ୱାଡ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଦାବି କରିଛନ୍ତି। ତେବେ ଶିବସେନାର ସହଯୋଗୀ ଭାଜପା ଗାଏକଓ୍ବାଡ୍‌ଙ୍କ ଏହି ମନ୍ତବ୍ୟଠାରୁ ନିଜକୁ ଦୂରେଇ ରଖିଛି। ଉକ୍ତ ବୟାନକୁ ତାଙ୍କ ଦଳ ସମର୍ଥନ କରୁନାହିଁ ବୋଲି ମହାରାଷ୍ଟ୍ର ରାଜ୍ୟ ଭାଜପା ସଭାପତି ଚନ୍ଦ୍ରଶେଖର ବାଓ୍ବନ୍‌କୁଲେ କହିଛନ୍ତି।