ବିଦାହେଲେ କୋଲକତା ପୋଲିସ କମିଶନର ବିନୀତ ଗୋୟଲ

କୋଲକତା:  ଶେଷରେ ନଇଁଲେ ମମତା ପୂରଣ ହେଲା ଡାକ୍ତରମାନଙ୍କର ଦାବି । ବିଦାହେଲେ କୋଲକାତା ପୋଲିସ କମିଶନର ବିନୀତ ଗୋୟଲ । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନର ସମାଧାନ ରାସ୍ତା ବାହାରିଛି । ମଧ୍ୟରାତ୍ରିରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ପୋଲିସ କମିଶନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି ମମତା । ଏହାସହିତ ସ୍ବାସ୍ଥ୍ୟ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି । ଡାକ୍ତରମାନେ କରିଥିବା ୫ଟି ଦାବି ମଧ୍ୟରୁ ତିନୋଟିକୁ ତତ୍କାଳ ପୂରଣ କରାଯାଇଥିବାବେଳେ ଅନ୍ୟ ଦାବିର ସମାଧାନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି ।

ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ଗତକାଲି ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ସହ ଆଲୋଚନା ପାଇଁ ପଞ୍ଚମ ଓ ଶେଷ ନିମନ୍ତ୍ରଣ କରିଥିଲେ ମମତା । ଗତକାଲି ଡାକ୍ତରଙ୍କ ୩୫ ଜଣିଆ ଡାକ୍ତରୀ ଟିମ ଲାଇଭ୍ ଷ୍ଟ୍ରିମିଂ ଦାବିରୁ ଓହରିବା ସହିତ ଆଲୋଚନାକୁ ଆସିଥିଲେ । ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କର ୨ ଘଣ୍ଟା ଆଲୋଚନା କରିଥିଲେ। ଡାକ୍ତରମାନଙ୍କର ରହିଥିବାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିଥିବା ଜଣାପଡିଛି ।  ସରକାରଙ୍କ ପକ୍ଷରୁ ବୈଠକର ଭିଡିଓ ରେକର୍ଡିଂ କରାଯାଇଥିଲା । ଆନ୍ଦୋଳନରତ ଡାକ୍ତର ଆର୍‌ଜି କର ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ସମେତ ମୋଟ୍‌ ୫ଟି ଦାବି କରିଥିଲେ। ସେ ଦାବିଗୁଡ଼ିକ ହେଲା ଡା. ସନ୍ଦୀପ ଘୋଷଙ୍କୁ ଦଣ୍ଡ, କୋଲକାତା ପୁଲିସ କମିଶନର ବିନୀତ ଗୋୟଲଙ୍କ ଇସ୍ତଫା, ସବୁ ମେଡିକାଲ ପେସାର ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଏବଂ ଧମକ ସଂସ୍କୃତିରେ ପୂର୍ଣ୍ଣଛେଦ।

ଡାକ୍ତରଙ୍କ ସହିତ ଆଲୋଚନା ପାଇଁ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ବୈଠକର ଆୟୋଜନ କରିଥିଲେ। କିନ୍ତୁ ବୈଠକକୁ କୌଣସି ଡାକ୍ତର ଆସି ନ ଥିଲେ। ଫଳରେ ୨ ଘଣ୍ଟା ଅପେକ୍ଷା କରିବା ପରେ ମମତାଙ୍କୁ ନିରାଶ ହୋଇ ବୈଠକରୁ ଫେରିବାକୁ ପଡ଼ିଥିଲା। ଡାକ୍ତରମାନେ ଶନିବାର ସ୍ଵାସ୍ଥ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରି ଧାରଣାରେ ବସିଥିଲେ। ଏହି ସମୟରେ ମମତା ସେଠାରେ ପହଞ୍ଚି ଡାକ୍ତରମାନଙ୍କୁ ଭେଟି ଆଲୋଚନା କରିଥିଲେ। ମମତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ମାଇକ ଧରି ଡାକ୍ତରଙ୍କ ସହିତ କଥା ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡାକ୍ତରମାନେ ସେଠାରେ ଜୋରରେ ପାଟି କରି ବିରୋଧ ପ୍ରଦର୍ଶନ କରିଥିଲେ।