କୋଲକାତାର ବ୍ଲୋଚମାନ ଷ୍ଟ୍ରିଟରେ ବିସ୍ଫୋରଣ, ଉଡ଼ିଗଲା ଜରି ଗୋଟାଳିଙ୍କ ହାତ

କୋଲକତା: କୋଲକାତାର ବ୍ଲୋଚମାନ ଷ୍ଟ୍ରିଟରେ ବିସ୍ଫୋରଣ । ଏଥିରେ ଜଣେ ୫୮ ବର୍ଷୀୟ ଜରି ଗୋଟାଳି ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଛିଡ଼ିଗଲା ଜରି ଗୋଟାଳିଙ୍କ ହାତ ।

ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ରାସ୍ତାର ଏକ ପ୍ରବେଶ ପଥରେ ସେମାନେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଦେଖିଥିଲେ । ତୁରନ୍ତ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାଉ କରିଥିଲେ । ଏହାପରେ ବୋମା ନିଷ୍କ୍ରିୟକାରୀ ଟିମକୁ ଯାଞ୍ଚ ପାଇଁ ଡକାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ପ୍ଲାଷ୍ଟିକ ବ୍ୟାଗକୁ ଯାଞ୍ଚ କରିଥିଲା । ବିସ୍ଫୋରଣର କାରଣ ଏଯାଏଁ ଜଣାପଡ଼ିନି ।

ବିସ୍ଫୋରଣ କାହିଁକି ଓ କେମିତି ହେଲା, ତା’ର ଯାଞ୍ଚ କରୁଛନ୍ତି ଫରେନସିକ ଟିମ । ସେପଟେ ଏହି ବସ୍ତା କେଉଁଠାରୁ ଆସିଲା ସେ ନେଇ ପୋଲିସ ତଦନ୍ତ କରିବା ସହ ଆଖାପାଖରେ ଥିବା ସିସିଟିଭି କ୍ୟାମେରାର ଭିଡିଓ ଯାଞ୍ଚ କରୁଛି । ବିସ୍ଫୋରଣ ଘଟଣାର ତଦନ୍ତ ଏନଆଇଏ ଦ୍ଵାରା କରିବାକୁ ଦାବି ହୋଇଛି ।