ଘଡ଼ିକୁ ଘଡ଼ି ବଦଳୁଛି ମୁଖ୍ୟମନ୍ତ୍ରୀଙ୍କ କଥା: ଆଜି କହି କାଲିକୁ ୟୁଟର୍ଣ୍ଣ

1 min read

ଭୁବନେଶ୍ବର: ନିଜ କଥାରେ କାଏମ ରହୁନାହାଁନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ କି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ଗତକାଲି ମଦ କୁଡିଆ । ଆଜି କଥା କାଲିକୁ ରହୁନି । ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଦଳୀୟ ବିଧାୟକ ହୁଅନ୍ତୁ କିମ୍ବା ଲୋକଙ୍କ ଚାପରେ ବୟାନ ବଦଳାଇବାକୁ ବାଧ୍ଯ ହେଉଛନ୍ତି । ଏହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିବା ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛି ବିଜେଡି । ଆନ୍ତରିକତା ଅଛି କି ନାହିଁ କେନ୍ଦ୍ରକୁ ଚିଠି ଲେଖି ପ୍ରମାଣ କରିବାକୁ ୨୪ ଘଣ୍ଟାର ମହଲତ ଦେଇଛି । ନିଜ ପଦବୀର କିପରି ମର୍ଯ୍ୟାଦା ରଖି ନିଜ ନିଷ୍ପତ୍ତିରେ କିପରି କାଏମ ରହିବ ସେହି କୌଶଳ ନବୀନଙ୍କଠାରୁ ଶିଖିବାକୁ ପରାମର୍ଶ ଦେଇଛି ବିଜେଡି ।

ଦଳୀୟ ନେତା ଓ ବିଧାୟକଙ୍କ ଚାପରେ ଚେପା ମୋହନ ମାଝୀ ।

ଅସହାୟ ଅବସ୍ଥାରେ ମୋହନ ମାଝୀ ।

ଆଜି ଗୋଟିଏ କଥା କାଲିକୁ ପୁଣି ପଲଟି ଯାଉଛନ୍ତି ମୋହନ ମାଝୀ ।

ନିଜ କଥାରେ କାଏମ ରହୁନାହାଁନ୍ତି ମୋହନ ମାଝୀ ।

ମୋହନ ମାଝୀ ପାଲଟି ଗଲେଣି ୟୁ-ଟର୍ଣ୍ଣ ମୁଖ୍ଯମନ୍ତ୍ରୀ ।

ଏପରି କଡା ଭାଷାରେ ମୁଖ୍ଯମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବେଶ କଡ଼ା ଭାଷାରେ କଟାକ୍ଷ କରିଛି ବିଜେଡି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରୁ ନେଇ ଲାଟେଷ୍ଟ ଶ୍ରୀକ୍ଷେତ୍ର ବେଳାଭୂମିରେ ମଦ କୁଡିଆ ଇସ୍ଯୁକୁ ନେଇ ବର୍ଷିଛି ଦଳ । ମୁଖ୍ଯମନ୍ତ୍ରୀ ଗୋଟିଏ କଥା ଘୋଷଣା କରି ପର ମୁହୂର୍ତ୍ତରେ ନିଜ କଥାକୁ ପୁଣି ଢୋକିବାକୁ ବାଧ୍ଯ ହେଉଛନ୍ତି । କେବେ ନିଜ ଦଳର ବିଧାୟକ କେବେ ପୁଣି ଲୋକଙ୍କ ପ୍ରତିବାଦରେ ମୋହନ ବାଧ୍ଯ ହେଉଛନ୍ତି ବୟାନ ବଦଳାଇବାକୁ । ବିଧାନସଭାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବପର ନୁହେଁ ବୋଲି କହିଲେ ମୁଖ୍ଯମନ୍ତ୍ରୀ ।  ତା’ପରେ ନିଜ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଦାବି ପରେ ତୁରନ୍ତ ଏ ସମ୍ପର୍କରେ ତର୍ଜମା କରାଯାଉଥିବା କହିଲେ । ଯାହାକୁ କଡ଼ା ସମାଲୋଚନା କରି ବିଜେଡି କହିଛି, ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଅସହାୟ ଅବସ୍ଥାରେ ଅଛନ୍ତି ଓ ଚାପଗ୍ରସ୍ତ ଅଛନ୍ତି । ସେ ଯାହା କହୁଛନ୍ତି, ଚାପ ପରେ ସେଥିରେ ୟୁ-ଟର୍ଣ୍ଣ ମାରୁଛନ୍ତି । ଅଗଷ୍ଟ ୨୦୨୪ରେ ରାଜ୍ୟସଭାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କ’ଣ ପଦକ୍ଷେପ ନିଆଯାଇଛି ଏକ ଅଣତାରକା ପ୍ରଶ୍ନ ପଚରା ଯାଇଥିଲା । ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଥିଲେ ଓଡ଼ିଶା ସରକାରଙ୍କ ମତ ଏବେ ଯାଏଁ ହସ୍ତଗତ ହୋଇନାହିଁ । ଏହି ମତ ଅପେକ୍ଷାରେ ଅଛୁ ବୋଲି ଉତ୍ତର ରଖିଥିଲେ ମନ୍ତ୍ରୀ ମେଘାୱାଲ । କିନ୍ତୁ ଏ ସମ୍ପର୍କରେ ଏବେ ଯାଏଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପ । ୩ ମାସ ହେଲାଣି ରାଜ୍ୟର ମତ ଏଯାଏଁ ଯାଇ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେବେ ଚିଠି ଲେଖି ଜଣାଇବେ ବୋଲି ପ୍ରଶ୍ନ କରିଛି ବିଜେଡି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେଉ ନା ବିଧାୟକଙ୍କ ଚାପରେ ମୁଖ୍ଯମନ୍ତ୍ରୀ ଚାପଗ୍ରସ୍ତ ବୋଲି କହିଛି ଦଳ । ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟାରେ କେନ୍ଦ୍ରକୁ ଚିଠି ଲେଖିବେ କି ବୋଲି ପ୍ରଶ୍ନ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନିଜର ମାନସିକତା ଓଡିଶାବାସୀଙ୍କ ନିକଟରେ ସ୍ପଷ୍ଟ କରନ୍ତୁ । ଏହି ଅବସରରେ ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇଥିଲା । ନବୀନ ଥରେ ନିଷ୍ପତ୍ତି ନେଲେ ତାହା କାଏମ ରହୁଥିଲା । କିନ୍ତୁ ସେହି ସମ୍ମାନଜନକ ସିଟରେ ବସି ମୋହନ ମାଝୀ ୟୁ-ଟର୍ଣ୍ଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନାହିଁ ବୋଲି ଦଳ ନିବେଦନ କରିଛି । ଡବଲ ଇଞ୍ଜିନ ସରକାର ଟିକେ କାମରେ ଦେଖାନ୍ତୁ ବୋଲି କଟାକ୍ଷ କରିଛି ବିଜେଡି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛି । ୨୪ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଚିଠି ଲେଖନ୍ତୁ । କାଲି ଦିନ ୨ଟା ଯାଏଁ ଅପେକ୍ଷା ରହିଛି, ନ ହେଲେ ଓଡିଶାବାସୀ ବୁଝିଯିବେ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଆଗ୍ରହ ନାହିଁ । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏ ସତସାହସ କାହିଁକି ନାହିଁ ବୋଲି ପ୍ରଶ୍ନ କରିବା ସହ ବିଧାୟକଙ୍କ କଥାରେ ମୁଖ୍ୟମନ୍ତ୍ରୀ ବାଁ ଡାହାଣ ହେଉଛନ୍ତି ବୋଲି ଅଭିଯୋଗ କରିଛି ଦଳ ।