ଅକ୍ଟୋବର ୨ରୁ ବିଜେଡିର ଜନଜାଗରଣ ଯାତ୍ରା, ଖୋଲିବ ମୋହନ ସରକାରଙ୍କ ମୁଖା

ଭୁବନେଶ୍ବର:  ବିଜେଡି ସଂଗଠିତ ହୋଇ ଆଗକୁ ବଢୁଛି । ଲୋକଙ୍କ ସୁଖ ଦୁଃଖର ସାଥି ହୋଇଛି । ସରକାର ବଦଳିବା ପରେ ଗାଁ ଗାଁରେ ବିକାଶମୂଳକ କାର୍ଯ୍ୟକ୍ରମ ଠପ୍‌ ହୋଇଛି । ୩ ମାସ ତଳେ ପୂର୍ବ ସରକାର ଆରମ୍ଭ କରିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ନୂଆ ସରକାର ବନ୍ଦ କରିଦେଇଛନ୍ତି । ଜିଲ୍ଲାସ୍ତରରେ ଅଘୋଷିତ ନିର୍ଦ୍ଦେଶନାମା ଯୋଗୁଁ ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସରକାରୀ ଅଫିସରେ ବିବାଦ ସୃଷ୍ଟି ହୋଇଛି । ଏହା ବିରୋଧରେ ଜନ ଜାଗରଣ ସୃଷ୍ଟି କରିବ ବିଜେଡି । ଆସନ୍ତା ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ନେଇ ବିଭିନ୍ନ ଜିଲ୍ଲାସ୍ତରର ସଂଗଠନ ନେଇ ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଲୋକଙ୍କ ବିକାଶ ମୁଖ୍ୟ ଏଜେଣ୍ଡା । ତୃଣମୂଳ ସ୍ତରରେ ଦଳ ହେବ ଅଧିକ ସଂଗଠିତ । ଅକ୍ଟୋବର ୨ ତାରିଖରୁ ବିଜେଡିର ଜନଜାଗରଣ ପଦଯାତ୍ରା । ପ୍ରତିବର୍ଷ ପରି ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ଯାଏଁ ପଦଯାତ୍ରା ପାଇଁ ବିଜେଡିର ପ୍ରସ୍ତୁତି । ନବୀନ ନିବାସରୁ ଶଙ୍ଖ ଭବନ ଯାଏଁ ସମୀକ୍ଷା ଓ ଆଲୋଚନା । ଜିଲ୍ଲାସ୍ତରରୁ ରାଜ୍ୟ ଯାଏଁ ବିଜେଡି ସଂଗଠିତ ହୋଇ ଆଗକୁ ବଢୁଛି । ପ୍ରତି ନିର୍ବାଚନୀ ମଣ୍ଡଳୀର ସ୍ଥିତି ଓ ସମସ୍ୟା ବୁଝି ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂଗଠନକୁ ଅଧିକ ମଜଭୁତ ସହ ଜନସେବା ଜାରି ରଖିବାକୁ ନବୀନ ପରାମର୍ଶ ଦେଇଛନ୍ତି । ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ଏବେକାର ସରକାର ବନ୍ଦ କରିଥିବାରୁ ଏହା ବିରୋଧରେ ଜନ ଜାଗରଣ ସୃଷ୍ଟି କରିବାକୁ ଦଳ ସଜବାଜ ଆରମ୍ଭ କରିଛି । ସରକାରଙ୍କ ବିକାଶ ବିରୋଧୀ ଆଭିମୁଖ୍ୟକୁ ତୃଣମୂଳସ୍ତରରେ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି ।

ପଦଯାତ୍ରା ପରେ ଜିଲ୍ଲାକୁ ଜିଲ୍ଲା ବୁଲି ବିଜେଡି ସୁପ୍ରିମୋ ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ନିର୍ବାଚନୀ ମଣ୍ଡଳୀରେ ଦଳର ସ୍ଥିତି ସମୀକ୍ଷା କରିବେ । ଓଡ଼ିଶା ସ୍ବାର୍ଥ ପାଇଁ ପୂର୍ବ ପରି ସଂଗ୍ରାମ ଜାରି ରଖିବ ବିଜେଡି । କେନ୍ଦ୍ରର ଓଡ଼ିଶା ବିରୋଧୀ ମନୋଭାବ ଓ ନିର୍ବାଚନରେ ରାଜ୍ୟବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି କିପରି ଦଳ ପାଳନ କରିବ ସେନେଇ ସରକାରଙ୍କ ଉପରେ ଚାପ ପକାଇବ । ଏହାକୁ ନେଇ ଚଳଚଞ୍ଚଳ ବିଜେଡି କ୍ୟାମ୍ପ ।

ସେପଟେ ବିଜେଡିର ବିଭିନ୍ନ  କାର୍ଯ୍ୟକ୍ରମ ନେଇ ଜବାବ ରଖିଛି ଶାସକ ବିଜେପି । ଯାହା ପ୍ରତିଶ୍ରୁତି ଦେଇଛି ବିଜେପି ତାକୁ ପୂରଣ କରିଛି ବୋଲି କହିଛଇ ଦଳ । ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ପାଣିର ଗାର ବୋଲି କହିଛି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।