ଶାସନ ନାଁରେ ଓଡ଼ିଶାରେ ଚାଲିଛି ତାମସା: ମୃତ ଅଫିସରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦାୟିତ୍ବ

1 min read

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର କରୁଛି ତାମସା । ନିଜ ଅପାରଗତାକୁ ପଦାରେ ପକାଇ ଓଡ଼ିଶାବାସୀଙ୍କୁ କରୁଛନ୍ତି ଲୋକହଂସ । ଏ ସରକାର କେତେ ଅପାରଗତ ତାହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦାୟିତ୍ବ ବଣ୍ଟନରୁ ଜଣାପଡ଼ିଛି । ମୋହନ ସରକାର ପାଖରେ ଏତିବି ବି ଖବର ନାହିଁ କେଉଁ ଉଚ୍ଚ ପଦସ୍ଥ ଅଫିସର କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ଓ କାହାର ଦେହାନ୍ତ ହୋଇସାରିଛି । କାରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦାୟିତ୍ବ ଜଣେ ମୃତ ଅଫିସରଙ୍କୁ ଦେଇ ଏ ସରକାର ନିଜ ଅପାରଗତାକୁ ପଦାରେ ପକାଇ ଦେଇଛନ୍ତି ।

ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ସାଧାରଣ ପ୍ରଶାସନ ବିଭାଗ । ଆଉ ଏଥିରେ  ଏପରି ଗୁରୁତର ତ୍ରୁଟି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯକ୍ରମ ପ୍ରସ୍ତୁତିରେ ଏତେ ବଡ଼ ଭୁଲ୍ ହେଲା କେମିତି, ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ବିଜେପି ସରକାରଙ୍କୁ ବିରୋଧୀ ଘେରିଛନ୍ତି । ସରକାରଙ୍କ ଡାହାଣ ହାତ କ’ଣ କରୁଛି ବାମ ହାତକୁ ଜଣାନାହିଁ ବୋଲି ବିଜେଡି କଟାକ୍ଷ କରିଥିବା ବେଳେ କଂଗ୍ରେସ କହିଛି ରାଜ୍ଯରେ ଅସ୍ଥିର ସରକାର ଚାଲିଛି । ନନ୍ଦିଘୋଷ ଟିଭିରେ ଏହି ଗୁରୁତର ତ୍ରୁଟିର ଖବର ପ୍ରସାରଣ ପରେ ସାଧାରଣ ପ୍ରଶାସନ ବିଭାଗ ନିଜ ଭୁଲ ସୁଧାରିଛି ।

୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ପ୍ରାୟ ସାଢ଼େ ୩ ଘଣ୍ଟା ସେ ଓଡ଼ିଶାରେ ରହିବା ସହ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ଏହାସହ ଅନ୍ୟ ସରକାରୀ କାର୍ଯ୍ୟର ଶୁଭାରମ୍ଭ ଓ ଭିତ୍ତିସ୍ଥାପନ କରିବେ । ଅନ୍ୟପକ୍ଷେ ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି । ତେଣୁ ଏପରି ଜାତୀୟ ଚେହେରାଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କର । ହେଲେ ଏଠାରେ ବସିଥିବା ମୋହନ ସରକାର କ୍ଷମତାକୁ ଆସିବା ପରଠାରୁ ରଙ୍ଗ ବଦଳା ରାଜନୀତିରେ ଏତେ ବ୍ୟସ୍ତ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ଯକ୍ରମର ଦାୟତ୍ବ ଜଣେ ମୃତ ଅଫିସରଙ୍କୁ ଦେଇଦେଲେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭିଡ଼ ନିୟନ୍ତ୍ରଣ ପାଇଁ ଯେଉଁ ଅଫିସରଙ୍କୁ ଦାୟିତ୍ଵ ଦିଆଯାଇଥିଲା, ସେହି ତାଲିକାରେ ଓଏଏସ୍ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ତାଲିକା କରାଯାଇଥିଲା । ବିଡମ୍ଵନାର କଥା ହେଲା ୨୦୨୩ ଜୁଲାଇ ୧୯ ତାରିଖରେ ଏକ ଦୁର୍ଘଟଣାରେ ପ୍ରବୋଧ କୁମାର ରାଉତଙ୍କ ପରଲୋକ ଘଟିଛି । ନନ୍ଦିଘୋଷ ଟିଭିରେ ଏହି ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିଛି ସାଧାରଣ ପ୍ରଶାସନ ବିଭାଗ । ତେବେ ଏତେ ବଡ଼ ଭୁଲ କେମିତି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ରାଜ୍ଯ ସରକାରଙ୍କୁ ଘେରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି, ଏ ସରକାର ଜାଣି କରି ମୃତ ଅଫିସରଙ୍କ ନାଁ ରଖିଛନ୍ତି । ଏମାନେ ନିଜ ଛାଇକୁ ବି ଡରୁଛନ୍ତି । ସରକାର ଜାଣିପାରୁ ନାହାନ୍ତି, ବାମ ହାତ କ’ଣ କରୁଛି, ଡାହାଣ ହାତ କ’ଣ କରୁଛି ।

ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଅସ୍ଥିର ସରକାର ଚାଲିଛି  । କିଏ କ’ଣ କରୁଛି  ତାହା କାହାକୁ ଜଣାନାହିଁ । ୩ ମାସର ସରକାର କେବଳ ନାଁ ପରିବର୍ତ୍ତନରେ ମାତିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବିଭାଗରେ ଯଦି ଏତେ ବଡ଼ ଭୁଲ ହେଉଛି, ତେବେ ରାଜ୍ଯବାସୀ ବୁଝିପାରୁଛନ୍ତି ଏ ସରକାର କେମିତି ଚାଲିଛି ।

ମୋଦିଙ୍କ କାର୍ଯ୍ଯକ୍ରମ ପାଇଁ ମୃତ ଅଫିସରଙ୍କୁ ଦାୟିତ୍ଵ ଦିଆଯିବା ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ ପରେ ସାଧାରଣ ପ୍ରଶାସନ ବିଭାଗ ତ୍ରୁଟିରେ ସଂଶୋଧନ କରିଛି । ନୂଆ ତାଲିକାରେ ପ୍ରବୋଧ କୁମାର ରାଉତଙ୍କ ବଦଳରେ ଇଡକୋର ଲ୍ଯାଣ୍ଡ ଅଫିସର ସୁବ୍ରତ କୁମାର ଜେନାଙ୍କ ନାଁ ସାମିଲ କରିଛି ସାଧାରଣ ପ୍ରଶାସନ ବିଭାଗ । ଏହି ଘଟଣା ପରେ ଚର୍ଚ୍ଚା ହେଲାଣି- ସରକାର ଗଠନର ୩ ମାସ ହୋଇଯାଇଥିଲେ ମଧ୍ୟ ବୋଧହୁଏ ବିଜେପି ଭଲ ଭାବେ ଶାସନ ଭାର ସମ୍ଭାଳି ପାରିନି ।