କମଳା ହାରିସଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ଓଡ଼ିଆ ପୁଅ ସମୟ ସାହୁ

1 min read

ନନ୍ଦିଘୋଷ ବ୍ୟୁରୋ : ଆମେରିକା ସକ୍ରିୟ ରାଜନୀତିରେ ଓଡ଼ିଆ ପୁଅ । ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ମୟୂରଭଞ୍ଜର ସମୟ ସାହୁ । ମାତ୍ର ୨୧ବର୍ଷ ବୟସରେ ଆମେରିକା ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳି ଚର୍ଚ୍ଚାକୁ ଆସିଛନ୍ତି ସମୟ । ବର୍ତ୍ତମାନ ଡେମୋକ୍ରାଟିକ୍ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି। ସମୟ ମୟୂରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା। ତାଙ୍କ ବାପା ମାନସ ସାହୁ ରାୟଗଡ଼ା ଜିଲ୍ଲାରେ ଚାକିରି କରିଥିଲେ । ପରେ ଆମେରିକାରେ ଚାକିରି ପାଇବାରୁ ସପରିବାର ଭାରତ ଛାଡ଼ିଥିଲେ । ବର୍ତ୍ତମାନ ପରିବାର ସହ ସେ ଆମେରିକାର ନାସୁଆ ସହରରେ ରହୁଛନ୍ତି । ୨୦୦୮ ମସିହାରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ ।ସମୟଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡେମୋକ୍ରାଟିକ୍ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା । ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ । ୨୦୨୦ରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ। ୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍ ଅଫ୍ ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା । ଏବେ ଦଳ ତାଙ୍କୁ ପ୍ରାର୍ଥୀ କମଳା ହାରିସ୍ଙ୍କ ପ୍ରଚାର ମଙ୍ଗ ଧରିବାକୁ ଦାୟିତ୍ବ ଦେଇଛି । କମଳା ହାରିସ ମଧ୍ୟ ସମୟଙ୍କ ରାଜନୈତିକ ଜୀବନ ଓ ସାଂଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ।