ଗଡ଼ଜାତ ଅଞ୍ଚଳରେ ପାଳିତ ହେବ ନୂଆଁଖାଇ

କଳାହାଣ୍ଡି : ଆଜି ଗଡ଼ଜାତ ଅଞ୍ଚଳରେ ପାଳିତ ହେବ ନୂଆଁଖାଇ। ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ । ଏନେଇ ଭୋରରୁ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି । ସବୁଠଇ  ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ ପ୍ରତିପଦ ଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ ନୂଆଁଖାଇ । ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ନିକଟରେ ସକାଳ ୮.୨୫ ମିନିଟରୁ ୯.୧୫ ମଧ୍ୟରେ ନବାନ୍ନ  ଲାଗି ହେବ ।  ପରେ  ଦିନ ୯  ଟାରୁ ସର୍ବସାଧାରଣ ମାଁ ଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ଯିବ । ସକାଳ ୧୦ ଘଣ୍ଟା ୩ ମିନିଟ ରୁ  ୧୨ ଘଣ୍ଟା ୩୬ ମିନିଟ ମଧ୍ୟରେ ନୂଆଁଖାଇବେ ଗଡ଼ଜାତ ଅଞ୍ଚଳବାସୀ ।କଳାହାଣ୍ଡି ଜିଲ୍ଲାର ଗ୍ରାମ ଗୁଡିର ପ୍ରତି ଘରେ ଘେରେ ପରିବାର ସଦସ୍ୟ ଏକାଠି ବସି ନୂଆଁଖାଇଥାନ୍ତି । ଏହାପରେ ଆରମ୍ଭ ହୋଇଥଏ ଜୁହାର ଭେଟ ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବେ । ଏହାପରେ ଜମେ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠିବ ଗାଁଠୁ ସହର ।