ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଦରଦାମ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଦରଦାମ। ଖାଉଟି ହେଉଛନ୍ତି ହନ୍ତସନ୍ତ। କିନ୍ତୁ ପଦକ୍ଷେପ ନେଉନାହାନ୍ତି ସରକାର। ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିବା ବେଳେ ପଶ୍ଚିମବଙ୍ଗ ଆଳୁ ଟ୍ରକ ବନ୍ଦ କଲା। କିନ୍ତୁ ରାଜ୍ୟର ବିଜେପି ସରକାର କିଛି ପଦକ୍ଷେପ ନେଲେନି। ଓଡ଼ିଶା ବ୍ୟବସାୟୀ ମହାସଂଘ ଏଭଳି ଅଭିଯୋଗ ଆଣିବା ସହ ଦିଲ୍ଲୀ ଦରବାରରେ ଓଡ଼ିଶାର ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଆଗକୁ ଆସିଛି। ଖାଉଟିଙ୍କୁ କିଭଳି ସଠିକ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ସେ ପାଇଁ ଉଦ୍ୟମ କରାଯିବ। ଏଥିପାଇଁ ଆସନ୍ତା ୨୮ ଓ ୨୯ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସାମିଲ ହୋଇ ଖାଉଟିଙ୍କ ସ୍ବାର୍ଥ ରକ୍ଷା ଉପରେ ସ୍ବର ଉଠାଇବ ଓଡ଼ିଶା ବ୍ୟବସାୟୀ ମହାସଂଘ।

ସରକାର ପାରିଲେନି। ବ୍ୟବସାୟୀ ହାତକୁ ନେଲେ। ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରି ସଠିକ ମୂଲ୍ୟରେ ଖାଉଟିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ବ୍ୟବସାୟୀଙ୍କ ଅନୁରୋଧ ପରେ ବି ମିଳିଲାନି ସୁଫଳ। ରାଜ୍ୟରେ ହୁ ହୁ ହୋଇ ବଢୁଥିବା ଦରଦାମକୁ ଆଖି ଆଗରେ ରଖି ଓଡ଼ିଶା ବ୍ୟବସାୟୀ ମହାସଂଘ ଦିଲ୍ଲୀ ସ୍ତରରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି। ଲୋକଙ୍କ ସ୍ୱାର୍ଥ ପାଇଁ ଆସନ୍ତା ୨୮ ଓ ୨୯ ରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଗଭର୍ଣ୍ଣିଙ୍ଗ କାଉନସିଲ ବୈଠକରେ ସାମିଲ ହେବେ ଓଡ଼ିଶା ବ୍ୟବସାୟୀ ସଙ୍ଘର ସଦସ୍ୟ। ଅତ୍ୟାବଶ୍ୟକ ସାମଗ୍ରୀକୁ କେନ୍ଦ୍ରର ବିନା ଅନୁମତିରେ କୌଣସି ରାଜ୍ୟ ଅନ୍ୟ ରାଜ୍ୟକୁ ବନ୍ଦ କରିପାରିବ ନାହିଁ। କିନ୍ତୁ ପଶ୍ଚିମବଙ୍ଗ ଦୀର୍ଘ ଦିନ ଧରି ଓଡ଼ିଶାକୁ ଆଳୁ ଟ୍ରକ ଛାଡିଲା ନାହିଁ। ତେଣୁ ଏହାକୁ ଭୁଲ ବୋଲି କହିଛି ବ୍ୟବସାୟୀ ସଂଘ। ଏ ପ୍ରସଙ୍ଗକୁ ଦିଲ୍ଲୀରେ ଆୟୋଜିତ ବୈଠକରେ ଉଠାଯିବା ସହ କେନ୍ଦ୍ରକୁ ଅବଗତ କରାଯିବ। ଯଦିଓ ଏହା ରାଜ୍ୟ ସରକାରଙ୍କ ଦାୟିତ୍ବ, କିନ୍ତୁ ଏ ଦିଗରେ କୌଣସି ଠୋସ ପଦକ୍ଷେପ ନେଲେନି ସରକାର। ପଶ୍ଚିମବଙ୍ଗ ଆଳୁ ଦେଲାନି, କାଲି ଆନ୍ଧ୍ର ମାଛ ଦେବନି। ତେଣୁ ଏହାକୁ କିପରି ବରଦାସ୍ତ କରାଯିବ। ଆବଶ୍ୟକ ପଡ଼ିଲେ ଲୋକଙ୍କ ସ୍ୱାର୍ଥ ପାଇଁ ଆଇନର ଆଶ୍ରୟ ନିଆଯିବ ବୋଲି କହିଛି ଓଡ଼ିଶା ବ୍ୟବସାୟୀ ସଂଘ।

ସେପଟେ ଏସବୁ ପ୍ରସଙ୍ଗକୁ ନେଇ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି ଓଡ଼ିଶା ସିଟିଜେନସ ଫୋରମ।  ସରକାର କ୍ଷମତାକୁ ଆସିବା ପରଠୁ ସଠିକ ଭାବେ ତୁଲାଇ ପାରୁନାହାନ୍ତି କୌଣସି କାର୍ଯ୍ୟ। ଦରଦାମକୁ ନିୟନ୍ତ୍ରଣ କରିପାରୁନାହାନ୍ତି ସରକାର। ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ଖାଉଟି। ବଜାରକୁ ଗଲେ କଣ କିଣିବେ ତାକୁ ନେଇ ଭୋଳେଣି ପଡୁଛି। ମନ୍ତ୍ରୀ ଓ ଅଫିସରଙ୍କ ମଧ୍ୟରେ ରହୁନି ସମନ୍ବୟ। ଯେଉଁଥି ପାଇଁ ସାଧାରଣ ଲୋକେ ହେଉଛନ୍ତି ହୀନସ୍ତା। ଏହାର ପ୍ରତିବାଦରେ ଆସନ୍ତା ୬ ମାସ ମଧ୍ୟରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ସରକାର ବିରୋଧରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଓଡ଼ିଶା ସିଟିଜେନସ ଫୋରମ।

ଦିଲ୍ଲୀରେ ହେବାକୁ ଥିବା ବ୍ୟବସାୟୀ ସଙ୍ଘର ଜାତୀୟ ସ୍ତରୀୟ ବୈଠକରେ ଆନ୍ତଃରାଜ୍ୟ ବ୍ୟବସାୟ, ଜିଏସଟି, ପ୍ରଫେସନାଲ ଟ୍ୟାକ୍ସ, ବ୍ୟବସାୟୀଙ୍କ ସାମାଜିକ ସୁରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଯାହା ସରକାର କରିବା କଥା ତାହା ବ୍ୟବସାୟୀ ସଂଘ କରିବ ବୋଲି କୁହାଯାଇଛି।