ସୁଭଦ୍ରା ଯୋଜନା ପାଇଁ ବନ୍ଧା ପଡ଼ିଲା ସୁନା

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ବନ୍ଧା ପଡ଼ିଲା ସୁନା । ସ୍ତ୍ରୀଙ୍କ ସୁନା ଅଳଙ୍କାର ବନ୍ଧକ ରଖି ମୋବାଇଲ କିଣି ଆଧାର ଲିଙ୍କ କଲେ ଯୁବକ । ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସୁଭଦ୍ରା ସହାୟତା ପାଇବାକୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବା ଜରୁରୀ । ଏକଥା ଶୁଣିଲା ପରେ ଚିନ୍ତାରେ ପଡ଼ିଯାଇଥିଲେ ଜଣେ ଆଦିବାସୀ ଯୁବକ । କାରଣ ତାଙ୍କ ପାଖରେ ମୋବାଇଲଟିଏ ମଧ୍ଯ ନଥିଲା । ଏଣୁ ବାଧ୍ଯ ହୋଇ ସେ ସ୍ତ୍ରୀଙ୍କ ସୁନା ନେଇ ବନ୍ଧା ପକାଇ ଏକ ମୋବାଇଲ କିଣିଥିଲେ । ଏହାପରେ ନୂଆଗଡ଼ ଗାଁର ଏକ ଦୋକାନକୁ ସିମ୍ କିଣିବା ଲାଗି ଯାଇଥିଲେ । ସେଠାରେ ସମ୍ପୂର୍ଣ୍ଣ ଘଟଣାକ୍ରମ କହିଥିଲେ । ସେହି ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସଂପୃକ୍ତ ଯୁବକଙ୍କ ସ୍ତ୍ରୀ ସୁଭଦ୍ରା ସହାୟତା ପାଇବେ କି ନାହିଁ ତାହା ସନ୍ଦେହରେ । କିନ୍ତୁ ସୁଭଦ୍ରା ଆବେଦନ କରିବାକୁ ସ୍ତ୍ରୀଙ୍କ ସୁନା ବନ୍ଧା ପକାଇବାକୁ ପଡ଼ିଲା । ଯାହାକି ଏବେ ସାରା ରାଜ୍ଯରେ ଚର୍ଚ୍ଚାର ବିଷୟ ପାଲଟିଛି ।