ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ହତ୍ୟା, ଅଞ୍ଚଳରେ ଉତ୍ତେଜନା

ବଲାଙ୍ଗୀର: ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ମାଲଗୋଦାମ ପଡାରେ ଗତକାଲି ଗୋଷ୍ଠୀ ସଂଘର୍ଷରୁ ହତ୍ୟା । ୧୭ ନମ୍ବର ୱାର୍ଡରେ ଉତ୍ତେଜନା । ମୁଖ୍ୟ ଅଭିଯୁକ୍ତ ଦ୍ରୋଣ କୁମ୍ଭାର ଘରେ ପଡାବାସୀ ପଶି ଭଙ୍ଗାରୁଜା କରିବା ସହ ଟେକାପଥର ମାଡ କରିଛନ୍ତି । ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଥମିବାର ନାଁ ନେଉନି ।

ଉତ୍ତ୍ୟକ୍ତ ଲୋକେ ଦୁଇଟି ବାଇକ୍ ଭାଙ୍ଗି ଦେଇଛନ୍ତି । ଏପରିକି ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଠେଲାପେଲା ମଧ୍ୟ କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ଅତିରିକ୍ତ ଏସପି ହେମନ୍ତ ପାଢୀଙ୍କ ନେତୃତ୍ବରେ ୪ ଡିଏସପି, ୫ ଇନ୍ସପେକ୍ଟର, ୧୦ରୁ ଅଧିକ୍ ପୋଲିସ ଅଧିକାରୀଙ୍କ ସହ ୨ ପ୍ଲାଟୁନ୍ ଫୋର୍ସ ଘଟଣା ସ୍ଥଳରେ ମୁତୟନ କରାଯାଇଛି ।

ନିରୋଜ କୁମ୍ଭାର ହତ୍ୟା ଘଟଣାରେ ଅଭିଯୁକ୍ତ ଦ୍ରୋଣ କୁମ୍ଭାର, ତା’ର ଦୁଇ ପୁଅ ସମେତ ୪ ଜଣକୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି । ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀ ଘଟଣାର ତଦାରଖ କରୁଛନ୍ତି  ।

ଗତକାଲି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ପଡାରେ ଖଣ୍ଡା ବୁଲିଥିଲା । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଆସନ୍ତାକାଲି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।