ବଲାଙ୍ଗୀରରେ ହିଟ୍ ଆଣ୍ଡ ରନ୍ ମାମଲା; ତିନି ଯୁବତୀଙ୍କ ଉପରେ ମାଡ଼ିଗଲା କାର୍

ବଲାଙ୍ଗୀର: ଓଡ଼ିଶାରେ ହିଟ ଆଣ୍ଡ ରନ୍ ମାମଲା । ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଞ୍ଚଳରେ ଘଟିଛି ଘଟଣା । ତିନି ଜଣ ଯୁବତୀଙ୍କ ଉପରେ ମାଡ଼ିଗଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ  ଅନ୍ଯ ଦୁଇଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ନୁନହାଡ ଗାଁ ବସଷ୍ଟାଣ୍ଡ ନିକଟରେ ତିନି ଯୁବତୀ ଠିଆ ହୋଇଥିବାବେଳେ ସେମାନଙ୍କ ଉପରେ କାର୍ ଚଢି ଯାଇଥିଲା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ଭୋଲେଶ୍ବରୀ ମାଝୀ । ପ୍ରତୀମା ଧରୁଆ ଏବଂ ଜେମନ୍ତୀ ମାଝୀ ଏବେ ବି ଚିକିତ୍ସିତ ହେଉଛନ୍ତି ।

ଅଭିଯୁକ୍ତ ଯୁବକ ସୁଶିଲ କୁମାର ସାହୁ ନିଶାଗ୍ରସ୍ତ ଅବସ୍ଥାରେ କାର୍ ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ପୋଲିସ ସମସ୍ତଙ୍କୁ ବୁଝାସୁଝା କରିଛି । ମଦ୍ଯପ କାର ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।