୨ରୁ ୩ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ବର: ୭୨ ଡଲାରକୁ ଖସିଲାଣି ଅଶୋଧିତ ତୈଳ ଦର । ଏଣିକି କମି ପାରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର । ଅଶୋଧିତ ତୈଳ ଶସ୍ତା ହେବାରୁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ବମ୍ପର ଲାଭ କରୁଛନ୍ତି । ଅଥଚ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ହ୍ରାସ କରି ଲୋକଙ୍କୁ ଟିକିଏ ଆଶ୍ବସ୍ତି ଦେଇନାହାନ୍ତି । ସେପଟେ ହରିୟାଣା, ମହାରାଷ୍ଟ୍ର, ଜାମ୍ମୁ ଓ କାଶ୍ମୀରରେ ନର୍ବାଚନ ଥିବାରୁ କେନ୍ଦ୍ର ସରକାର ରାଜନୈତିକ ଦାଓପେଞ୍ଚ ଖେଳି ପାରନ୍ତି ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ଲିଟର ପିଛା ଦୁଇରୁ ତିନି ଟଙ୍କା କମି ପାରେ ପେଟ୍ରୋଲ ଓ ଡିଜେଲ ଦର । ହରିୟାଣା, ମହାରାଷ୍ଟ୍ର, ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ଥିବାରୁ ରାଜନୈତିକ ଫାଇଦା ପାଇଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କୁ ଅଲିଖିତ ନିର୍ଦ୍ଦେଶ ଦେବେ କେନ୍ଦ୍ର ସରକାର । କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ୮୦ ଡଲାରରୁ ଖସି ୭୨ ଡଲାରରେ ପହଞ୍ଚିଲାଣି । ଅଶୋଧିତ ତୈଳ ଶସ୍ତା ହେବା ପରେ ପ୍ରଚୁର ଲାଭରେ ରହିଲେଣି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ । ସେପଟେ ଘରୋଇ ତୈଳ ବିପଣନ କମ୍ପାନୀ ରିଲାଏନ୍ସ୍ ଓ ନାଏରା ଡିଜେଲ ଉପରେ ଦୁଇ ଟଙ୍କା ରିହାତି ଦେଉଛନ୍ତି । ଖୁଚୁରା ଦର ଉପରେ ମାର୍କେଟିଂ ମାର୍ଜିନ୍ ଏତେ ଅଧିକ ଯେ ଘରୋଇ କମ୍ପାନୀ ନିର୍ଦ୍ବନ୍ଦ୍ବରେ ରିହାତି ଦେଉଛନ୍ତି । ତା’ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ କାହିଁକି ଦର କମାଉନାହାନ୍ତି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।

ପେଟ୍ରୋଲିୟମ ସଂଘ କହିବା କଥା, ଚାଇନା, ଆମେରିକା ଓ ଇଉରୋପରେ ଅଶୋଧିତ ତୈଳ ଚାହିଦା କମ ଥିବାରୁ ବ୍ୟାରେଲ୍ ଦର କମିଛି । କିନ୍ତୁ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ଯୋଗାଣ ନେଇ ଥିବା ଅସୁବିଧା ଲାଗି ରହିଛି । ସେପଟେ ଓପେକ୍ ଦେଶ ସମୂହ ଆସନ୍ତା ଅକ୍ଟୋବର ପହିଲାରୁ ଉତ୍ପାଦନ ବୃଦ୍ଧି କରିବେ । ଯେତେବେଳେ ଚାହିଦା ତୁଳନାରେ ଉତ୍ପାଦନ ଅଧିକ ହେବ ସ୍ବାଭାବିକ ଭାବେ ଦର କମିବ । କିନ୍ତୁ ଖୁଚୁରା ଦର କମିବା ନେଇ ଅଶୋଧିତ ତୈଳ କିମ୍ବା ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସହିତ କିଛି ସମ୍ପର୍କ ନାହିଁ । ଯେତେବେଳେ କେନ୍ଦ୍ର ସରକାର ଚାହିଁବେ ସେତେବେଳେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଦର କମାଇବେ ।

୨୦୧୭ରୁ ଡାଇନାମିକ ପ୍ରାଇସ୍ ବ୍ୟବସ୍ଥା ଲାଗିଥିଲା । କିନ୍ତୁ ଗତ ୨ ବର୍ଷ ହେଲାଣି ସେହି ବ୍ୟବସ୍ଥା ଅକାମି ହୋଇ ପଡ଼ିଛି । ବିଶେଷଜ୍ଞଙ୍କ ମତ ଅଶୋଧିତ ତୈଳ ଦର ୭୨ ଡଲାର ଥିବାବେଳେ ଖୁଚୁରା ଦର ୮୦ ଟଙ୍କା ରହିବା କଥା । ଏବେ ସମୟ ଆସିଛି । ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ଅତି ଶୀଘ୍ର କମିବା ଦରକାର । ବଜାର ମୁଦ୍ରାସ୍ଫୀତି ନେଇ ଲୋକେ ପୂରା ଅସନ୍ତୁଷ୍ଟ ଅଛନ୍ତି । ଏହି ସମୟରେ ପେଟ୍ରୋଲ ଓ ଡିଜେଲର ବେସ୍ ପ୍ରାଇସ୍ ୨ ଟଙ୍କା କମିଲେ ଖୁଚୁରା ଲିଟର ୧୦ ଟଙ୍କା କମିଯିବ । ଏହାସହ ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ଭାଟ୍ କମ୍ ରହିଛି । ଏବେ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର । ଯେତେବେଳେ ବିଜେପି ବିରୋଧୀ ଦଳରେ ଥିଲା । ସେତେବେଳେ କେନ୍ଦ୍ର ସରକାରଙ୍କ ଖୁଚୁରା ଦରରେ ୧ ଟଙ୍କା ହ୍ରାସ କଲେ ରାଜ୍ୟ ସରକାର ଭାଟ୍ ହ୍ରାସ କରିବାକୁ ତତ୍କାଳୀନ ସରକାରଙ୍କୁ ଦାବି କରୁଥିଲା । ଏବେ କ୍ଷମତାରେ ବିଜେପି ଥାଇ ଲୋକଙ୍କୁ ମହଙ୍ଗା ବଜାରରୁ ଭାଟ ହ୍ରାସ କରି ଆଶ୍ବସ୍ତ କରିପାରିବ । ଏ ନେଇ ମୋହନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ନେଇ ଚିନ୍ତା କରିବା ଦରକାର ବୋଲି ଅର୍ଥନୀତି ସମୀକ୍ଷକ କହିଛନ୍ତି ।

ପେଟ୍ରୋଲ ଓ ଡିଜେଲକୁ ଜିଏସଟି ନେଟ୍କୁ ଆଣିଲେ ଦର ଅଧା କମିଯିବ । ଏପରି ଯୁକ୍ତି ବାରମ୍ବାର ହେଉଛି । ଆଗରୁ ଏ ନେଇ ଜିଏସଟି ପରିଷଦ ବୈଠକରେ ଚର୍ଚ୍ଚା ହୋଇଥିଲା । ଗତକାଲି ବି ୫୪ତମ ଜିଏସଟି ପରିଷଦ ଚର୍ଚ୍ଚା ହେଲା । ହେଲେ ସେହି ପୁରୁଣା କଥା ଏ ନେଇ ରାଜ୍ୟମାନେ ସହମତ ହେବା ଜରୁରୀ ବୋଲି ପୁରୁଣା କଥା କହି ଦାୟିତ୍ବ ଖସାଇ ଦେଇଛନ୍ତି କେନ୍ଦ୍ର ସରକାର ।