ରେଭେନ୍ସା ବୟାନବାଜି: ଭର୍ତ୍ତୃହରିଙ୍କୁ ସୌମ୍ୟଙ୍କ ସମାଲୋଚନା, କହିଲେ- ଅହଙ୍କାର ବଢ଼ିଗଲାଣି

1 min read

କଟକ: ତେଜିଲା ରେଭେନ୍ସା ବୟାନବାଜି । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କଡ଼ା ସମାଲୋଚନା କଲେ ସୌମ୍ଯରଞ୍ଜନ ପଟ୍ଟନାୟକ । ସମ୍ପାଦକୀୟ ଆଲେଖ୍ଯକୁ ନାପସନ୍ଦ କରିବା ସହ ଭର୍ତ୍ତୃହରିଙ୍କ ଅହଙ୍କାର ବଢିଗଲାଣି କହିଛନ୍ତି ସୌମ୍ଯ । ନିଷ୍ପତ୍ତିର ପୁନଃବିଚାର କରିବାକୁ କଟକ ସାଂସଦଙ୍କୁ ଦେଲେ ପରାମର୍ଶ । ଏପଟେ ବିତର୍କ ବନ୍ଦ ପାଇଁ ରେଭେନ୍ସା ହେରିଟେଜ ଫୋରମ ଦେଲା ଆହ୍ବାନ ।

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ ପ୍ରସଙ୍ଗରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂପାଦକୀୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ରାଜନେତା ସୌମ୍ଯରଞ୍ଜନ ପଟ୍ଟନାୟକ । ଖବରକାଗଜରେ ଭର୍ତ୍ତୃହରିଙ୍କ ଆଲେଖ୍ଯକୁ ଗ୍ରହଣ କରିନାହାନ୍ତି ସୌମ୍ଯ । ଭର୍ତ୍ତୃହରିଙ୍କ ଉପରେ ପ୍ରବଳ ବର୍ଷି ସୌମ୍ଯ କହିଛନ୍ତି- ଖବରକାଗଜ ନିବନ୍ଧ ସହ ମୁଁ ଏକମତ ନୁହେଁ । ବୋଧେ ଭର୍ତ୍ତୃହରିଙ୍କର ଅହଙ୍କାର ଆସିଲାଣି । ସେ ନିଜ ମତର ପୁନଃର୍ବିଚାର କରନ୍ତୁ ।

ଏପଟେ, ବିତର୍କ ବନ୍ଦ ହେଉ ରେଭେନ୍ସା ନାମ ଅପରିବର୍ତ୍ତିତ ରହୁ । ଏଭଳି ଆହ୍ବାନ ଦେଇ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ରେଭେନ୍ସା ହେରିଟେଜ ଫୋରମ । ଫୋରମ କହିଛି, ୧୫୬ ବର୍ଷ ଧରି ରେଭେନ୍ସା ନାମ ରହିଆସିଛି । ୧୯୪୭ ମସିହାରେ ଦେଶ ସ୍ବାଧୀନତା ହେଲା । ୨୦୦୫ରେ ରେଭେନ୍ସା ବିଶ୍ବବିଦ୍ଯାଳୟ ଆଇନ ବିଧାନସଭାରେ ପାରିତ ହୋଇ ୨୦୦୬ରେ ରେଭେନ୍ସା ବିଶ୍ବବିଦ୍ଯାଳୟ ସ୍ଥାପନ ସମୟରେ ବି ନାଁ ବଦଳାଇବା ସ୍ବର ଶୁଭି ନଥିଲା । ହଠାତ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇବା ରେଭେନ୍ସା ପ୍ରେମୀଙ୍କୁ ଆନ୍ଦୋଳିତ କରିଛି । କଟକ ସାଂସଦ କିଛିଦିନ ଚୁପ୍ ରହିବା ପରେ କବର ଖୋଳିବା ଆରମ୍ଭ କରିଛନ୍ତି । ନାଁ ପରିବର୍ତ୍ତନ କରି ଦେଲେ ଶିକ୍ଷାକ୍ଷେତ୍ରରେ କିଛି ପରିବର୍ତ୍ତନ ହେବ ନାହିଁ । ଏଣୁ ଆଲୋଚନାରୁ ସମସ୍ତେ ନିବୃତ୍ତ ରୁହନ୍ତୁ ।

ରେଭେନ୍ସା ଆଜି ୧୫୬ ବର୍ଷର ଅନୁଷ୍ଠାନ । ଏହାକୁ ଜଣେ ବ୍ଯକ୍ତିଙ୍କ ନାମ ବୋଲି କହି ନାଁ ପରିବର୍ତ୍ତନ କରିବାର କୌଣସି ଆବଶ୍ଯକତା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ବି ମତ ପ୍ରକାଶ ପାଇଛି ।