ବାହାରି ପାରିଲାନି ବିର୍ଲା ଟାୟାର କମ୍ପାନୀ ବିବାଦର ସମାଧାନ ବାଟ

1 min read

ବାଲେଶ୍ବର: ଦୀର୍ଘ ଦିନ ଧରି ବନ୍ଦ ଥିବା ବିର୍ଲା ଟାୟାର କମ୍ପାନୀର ବିବାଦ ତୁଟିଲା ନାହିଁ । ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ହସ୍ତକ୍ଷେପ ପରେ ମଧ୍ୟ ବୈଠକରେ ବାହାରି ପାରିଲାନି ସମାଧାନର ସୂତ୍ର । ଫଳରେ ଶ୍ରମିକ ବଢିବାରେ ଲାଗିଛି ଅସନ୍ତୋଷ । ନିଯୁକ୍ତି ପାଇଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି ନଦେଲେ କମ୍ପାନୀ ଚାଲି ପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ । କମ୍ପାନୀ କାର୍ଯ୍ୟକ୍ଷମ ଆଶା ଧିରେ ଧିରେ ମଉଳିବାରେ ଲାଗିଛି ।

ଦୀର୍ଘ ୪ ବର୍ଷ ହେବ ବିର୍ଲ୍ଲା ଟାୟାର କମ୍ପାନୀ ଫାଟକରେ ପଡିଛି ତାଲା । ନା ଆନ୍ଦୋଳନରୁ ହଟୁଛନ୍ତି ଶ୍ରମିକ, ନା ଯା’ଆସ କରୁଛି କଞ୍ଚାମାଲ ଭର୍ତ୍ତି ଯାନବାହନ । ପୁନଃ ନିଯୁକ୍ତି ଦାବିରେ ଅଡି ବସିଛନ୍ତି ୨୨୦୦ ପୁରାତନ ଶ୍ରମିକ । କମ୍ପାନୀ ବନ୍ଦ ଯୋଗୁଁ ସମସ୍ତ ଶ୍ରମିକ ଘର ଚଳାଇବାକୁ ସମସ୍ୟା ହେବାରୁ ମୂଲ ଲାଗୁଛନ୍ତି । NTLT ତରଫରୁ କମ୍ପାନୀର ମାଲିକାନା ହିମାଦ୍ରୀ ସ୍ପେଶାଲିଟି କେମିକାଲ ଓ ଡାଲମିଆ ଭାରତ ରିଫେକ୍ଟ୍ରୋରି କମ୍ପାନୀ ହାତକୁ ଦିଆଯାଇଛି । ଗତ ୧୧ ମାସ ଧରି ଏହି ଦୁଇ କମ୍ପାନୀ ନୂତନ ଶ୍ରମିକ ନିଯୁକ୍ତି ଦେଉଛନ୍ତି । ହେଲେ ପୂର୍ବରୁ ନିଯୁକ୍ତି ହରାଇଥିବା ୨୨୦୦ ଶ୍ରମିକ ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ପ୍ରଶାସନ ତ୍ରିପାକ୍ଷିକ ବୈଠକ ଡାକିଥିଲା । ହେଲେ ବାହାରି ପାରିଲା ନାହିଁ ସମାଧାନର ସୂତ୍ର ।

ବାଲେଶ୍ବରରେ ଥିବା ବୃହତ ଶିଳ୍ପାନୁଷ୍ଠାନ ବିର୍ଲା ଟାୟାର କମ୍ପାନୀ କ୍ଷତିରେ ଚାଲୁଥିବା ଦର୍ଶାଇ ୨୦୧୯-୨୦ ମସିହାରେ ବନ୍ଦ ଘୋଷଣା କରାଯାଇଥିଲା । ଫଳରେ ସେଥିରେ ନିଯୁକ୍ତି ପାଇଥିବା ୨୨୦୦ରୁ ଅଧିକ ଶ୍ରମିକ, କର୍ମଚାରୀ ରୋଜଗାର ହରାଇଥିଲେ । ଏଥିସହିତ ୨୪ ମାସର ବକେୟା ଦରମା ମଧ୍ୟ କମ୍ପାନୀ ଶ୍ରମିକମାନଙ୍କୁ ପୈଠ କରି ନଥିଲା । ଏନେଇ ଶ୍ରମିକ ସଂଗଠନ ତରଫରୁ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (NCLT)ରେ ମାମଲା ଦାୟର କରାଯାଇଥିଲା । NCLT ମାମଲାର ବିଚାର କରି କମ୍ପାନୀକୁ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସୂତ୍ରରେ ହିମାଦ୍ରୀ ସ୍ପେଶାଲିଟି କେମିକାଲ ଓ ଡାଲମିଆ ଭାରତ ରିଫେକ୍ଟ୍ରୋରି କମ୍ପାନୀକୁ ଚଳାଇବା ପାଇଁ ଥିବା ସର୍ତ୍ତ ଅନୁସାରେ ମାଲିକାନା ହାତକୁ ନେଲେ । ହେଲେ ରୋଜଗାର ହରାଇଥିବା ଶ୍ରମିକମାନଙ୍କ ବକେୟା ଟଙ୍କାର ମାତ୍ର ୨୮.୪ ପ୍ରତିଶତ ଦେଇଥିଲେ ମଧ୍ୟ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେଇ ନାହାନ୍ତି । ଫଳରେ ଆଜି ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଶ୍ରମିକ ସଂଗଠନର ବୈଠକ ବସିଥିଲା । ହେଲେ ନିସ୍କର୍ଷ ନବାହାରିବାରୁ ପୁଣି ଥରେ ଆଲୋଚନା ହେବ ବୋଲି ଶ୍ରମିକ ସଂଗଠନ ଚେତାବନୀ ଦେଇଛି ।

୫୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି, ପୂର୍ବତନ ଶ୍ରମିକଙ୍କୁ ନିଯୁକ୍ତି ଶେଷ ନହେବା ପର୍ଯ୍ୟନ୍ତ ନୂତନ ନିଯୁକ୍ତି ବନ୍ଦ ପାଇଁ କମ୍ପାନୀକୁ ପ୍ରଶାସନ ପରାମର୍ଶ ଦେଇଛି । ହେଲେ ନିଷ୍ପତ୍ତି କାର୍ଯ୍ୟକାରୀ ନେଇ ଦ୍ବନ୍ଦ୍ବରେ ରହିଛି ଶ୍ରମିକ ସଂଗଠନ ।