ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିର୍ଗତ କରିବାରେ ଭାରତ ବିଶ୍ବରେ ଏକ ନମ୍ବର

ନନ୍ଦିଘୋଷ ବ୍ୟୁରୋ: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିର୍ଗତ କରିବାରେ ଭାରତ ବିଶ୍ବରେ ଏକ ନମ୍ବର । ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାର ନିୟନ୍ତ୍ରଣ ପାଇଁ ସରକାର ଆଇନ କରୁଛନ୍ତି । ହେଲେ ଲୋକେ ମାନୁନାହାନ୍ତି। ସବୁ ନିୟମକୁ ଫୁ କରି ଦେଉଛନ୍ତି । ପରିଣତି ଅକାଳରେ ଯାଉଛି ଜୀବନ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିର୍ଗତ କରିବାରେ ଏବେ ବିଶ୍ବରେ ଏକ ନମ୍ବର ଭାରତ। ଏପରି ଆଖି ତରାଟି ଦେଲାଭଳି ତଥ୍ୟ ପ୍ରକାଶ କରିଛନ୍ତି ଇଂଲଣ୍ଡ ଲିଡ୍ ବିଶ୍ବବିଦ୍ୟାଳୟର ଗବେଷକ । ବିଶ୍ବରେ ସମୁଦାୟ ୫୨୦ ଲକ୍ଷ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ନିର୍ଗତ ହେଉଛି । ସେଥିରୁ ୧୮ ପ୍ରତିଶତ ଅର୍ଥାତ୍ ୯୦ ଲକ୍ଷ ୩୦ ହଜାର ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କେବଳ ଭାରତ ଛାଡୁଛି । ଏଥିରୁ ଅନୁମାନ କରାଯାଇପାରେ ଯେ, କେତେ ପରିମାଣରେ ବିଷାକ୍ତ ପ୍ଲାଷ୍ଟିକ ଦେଶରେ ବ୍ୟବହାର ହେଉଛି । ଭାରତୀୟ ବହୁଳ ମାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାର କରୁଥିବାରୁ ନଦୀ, ନାଳ ଓ ବାୟୁରେ ପ୍ଲାଷ୍ଟିକର ସୁକ୍ଷ୍ମ ଅଂଶ ମିଶି ପି.ଏମ୍ ୨.୫ରେ ପରିଣତ ହେଉଛି। ଯାହାକି ଫୁସଫୁସ ଦେଇ ଶରୀରରେ କର୍କଟ ରୋଗ ସୃଷ୍ଟି କରୁଛି ।

୧୯୬୩ ମସିହାରେ ପ୍ଲାଷ୍ଟିକ ଉଦ୍ଭାବନ ହୋଇଥିଲା। ଜୈବ ବିଘଟନ କ୍ଷମତା ନଥିବାରୁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ପ୍ରଥମ କରି ଭାରତରେ ୧୯୯୮ରେ ନିୟନ୍ତ୍ରଣ ଆଇନ ହେଲା। ପ୍ରଥମେ ସରକାର ୨୦ ମାଇକ୍ରନ୍ ମୋଟେଇର ପଲିଥିନକୁ ଅନୁମତି ଦେଇଥିଲେ। ପରେ ୭୫ ମାଇକ୍ରନ୍ ଓ ୨୦୨୨ରେ ୧୨୦ ମାଇକ୍ରନ୍ ପ୍ଲାଷ୍ଟିକ୍ ବ୍ୟବହାର ନେଇ ସରକାରୀ ନିୟମ ହେଲା। ଅଥଚ ନା ଏଥିପ୍ରତି ଜନସାଧାରଣ ସଚେତନ ନା ନିୟମ କଡ଼ାକଡ଼ି ପାଳନ ପାଇଁ ସରକାର ତତ୍ପର। ଫଳରେ ପ୍ରଦୂଷଣକାରୀ ରାଷ୍ଟ୍ର ଭାବେ ବିଶ୍ବରେ ନିନ୍ଦିତ ହେଲାଣି ଭାରତ।

ଉଲଂଘନାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ରାଜ୍ୟ ଓ ଦେଶରେ ବଢି ବଢି ଚାଲିଛି ପ୍ଲାଷ୍ଟିକର ବ୍ୟବହାର। ସରକାରୀ ଉଦାସୀନତା ଯୋଗୁ ଅକାଳେ ଯାଉଛି ଜୀବନ। ବିଶ୍ବରେ ଏବେ ୪୦୦ ନିୟୁତ ଟନ୍ ପ୍ଲାଷ୍ଟିକ ଉତ୍ପାଦନ ହେଉଛି। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ହେଉଛି ପରିବେଶ ପ୍ରଦୂଷଣର ମୂଳ କାରଣ। ଖାଦ୍ୟ ପୁଡ଼ିଆ, ଜିନିଷ ପ୍ୟାକେଟରେ ଏହା ବ୍ୟବହାର ହେଉଥିବାରୁ ଲୋକେ ଏହାକୁ ଏଣେତେଣେ ଫୋପାଡି ଦେଉଛନ୍ତି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ଥାନୀୟ ପ୍ରଶାସନ ଏସବୁ ଦେଖିବା କଥା। କେବଳ ବର୍ଷକୁ ଥରେ କିମ୍ବା ଦୁଇଥର ପ୍ରଦୂଷଣ ଦିବସ ପାଳନ କିମ୍ବା ସଚେତନତା ଦିବସ ଆସିଲେ ଚଢ଼ଉ କରି ଉଲଂଘନକାରୀଙ୍କ ଠାରୁ କିଛି ଜରିମାନା ଆଦାୟ କରି ନିଜ ଦାୟିତ୍ବ ସାରି ଦେଉଛି ପ୍ରଶାସନ। ବାକି ବର୍ଷ ଯାକ ଲୋକେ ଓ ଦୋକାନୀ ବିଷାକ୍ତ ପ୍ଲାଷ୍ଟିକ ବ୍ୟାଗ ବର୍ଷତମାମ ବ୍ୟବହାର କରୁଛନ୍ତି । ବିଘଟନ ହୋଇପାରୁନଥିରୁ ପରିବେଶ ପ୍ରଦୂଷଣ କରିବାରେ ବଡ଼ କାରଣ ସାଜିଛି ପ୍ଲାଷ୍ଟିକ।