ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗ ସିଂହଙ୍କ ଘର ଉପରକୁ ରକେଟ୍ ମାଡ, ଜଣେ ମୃତ 

ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ଥମୁନି ହିଂସା। କୁକି ଉଗ୍ରବାଦୀମାନେ ପୁଣି ଥରେ ସକ୍ରିୟ ହୋଇଛନ୍ତି। ପୁଣି ଭୟଙ୍କର ହେବାରେ ଲାଗିଛି ସ୍ଥିତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗ ସିଂହଙ୍କ ଘର ଉପରକୁ ରକେଟ୍ ମାଡ ହୋଇଛି । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି । ରାଜ୍ୟରେ ଡ୍ରୋନ ଆକ୍ରମଣର ପରେ ରକେଟ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରେ ଜଣେ ୧୩ ବର୍ଷୀୟ ବାଳିକା ରହିଛି। ରକେଟ୍ ମାଡ଼ରେ କମ୍ୟୁନିଟି ହଲ୍‌ ଓ ଅନ୍ୟ ଏକ ଘର କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଯେ ପୂର୍ବତନ ମୁଖୃମନ୍ତ୍ରୀଙ୍କ ଘରେ ରକେଟ୍ ଆକ୍ରମଣ ସମୟରେ ସେଠାରେ ଏକ ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ, ରକେଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଛାତ ଉପରେ ପଡିଥିଲା।