ଦେବଗଡ଼ ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଲାଗି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିଜେଡି ଓ ବିଜେପି କାଉନସିଲର
ଦେବଗଡ଼: ଦେବଗଡ଼ ପୌର ପରିଷଦ ରାଜନୀତି ସରଗରମ । ପୌର ଉପାଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିଜେଡି ଓ ବିଜେପି କାଉନସିଲର । ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଆବେଦନ ପତ୍ର ପ୍ରଦାନ କଲେ ଦୁଇ ଦଳର ୮ କାଉନସିଲର ।
କାଉନସିଲ ବୈଠକରେ ପ୍ରସ୍ତାବ ଗ୍ରହଣ କିମ୍ବା ପୌର ପରିଷଦର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭଳି ସଙ୍ଗୀନ ଅଭିଯୋଗ ନେଇ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ମଞ୍ଜୁରୀ ପାଇଁ ଦରଖାସ୍ତ କରିଛନ୍ତି କାଉନସିଲର ।
ସୂଚନାଯୋଗ୍ୟ, ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ବିଜେଡିର ୪, ବିଜେପିର ୬ ଓ ଜଣେ ସ୍ବାଧୀନ କାଉନସିଲର ଅଛନ୍ତି । ପୌରାଧ୍ଯକ୍ଷା ପଦବୀ ବିଜେଡି ହାତରେ ଓ ପୌର ଉପାଧ୍ୟକ୍ଷ ପଦବୀ ବିଜେପି ହାତରେ ରହିଛି ।