ଭଦ୍ରକରେ ଟେକ୍ସଟାଇଲ ଓ ପାରାଦୀପରେ ମେଗା ଫିଡ କ୍ରାକର ପ୍ଲାଣ୍ଟ

ଭୁବନେଶ୍ବର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପ୍ଲାଣ୍ଟ । ପାରାଦ୍ୱୀପରେ ହେବ ମେଗା ଫିଡ କ୍ରାକର ପ୍ଲାଣ୍ଟ । ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ । ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

ସେ କହିଛନ୍ତି, ଅଧିକ ସଂଖ୍ଯକ ଏମଏସଏମଇ ପାର୍କ ରାଜ୍ୟରେ ପ୍ରତିଷ୍ଠା ହେବ । ଏମଏସଏମଇ ୟୁନିଟ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ । ଓଡ଼ିଶାରେ ଅନେକ ବୃହତ ଶିଳ୍ପ ରହିଛି । ବଜେଟରେ ଇଣ୍ଡଷ୍ଟ୍ରିଆଲ ପାର୍କ ଖୋଲିବାର ବ୍ୟବସ୍ଥା ଅଛି । ଏମଏସଏମଇ ନୀତି ୨୦୨୨ ଅନୁସାରେ ଶିକ୍ଷିତ ଯନ୍ତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ କାମ ଚାଲିଛି । ଯୁବତୀ ଯେପରି ଅଧିକ ରୋଜଗାର ପାଇବେ ସେ ନେଇ ରାଜ୍ୟ ସରକାର କାମ କରୁଛନ୍ତି ।

ଆଗକୁ ସେ କହିଛନ୍ତି, ସୁଦକ୍ଷା ଯୋଜନାରେ ସେମାନଙ୍କ ଶିକ୍ଷା ଓ ବୈଷୟିକ ତାଲିମ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଛାତ୍ରୀବାସରେ ରଖି ବୃତ୍ତି ଦିଆଯାଉଛି । ଏହାକୁ ପୋଷ୍ଟ ମାଟ୍ରିକ ବୃତ୍ତି ଆକାରରେ ଦିଆଯାଉଛି । ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ବି ଏହି ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।