ପ୍ରଶାସନକୁ ଗ୍ରାମବାସୀଙ୍କ ଜବାବ: କାଦୁଅ ପଚପଚ ରାସ୍ତାରେ ପକାଇଲେ ଧାନ ତଳି

1 min read

ମହାକାଳପଡ଼ା: ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତାକୁ ଅଭିନବ ଉପାୟରେ ପ୍ରତିବାଦ । ବାରମ୍ବାର ଦାବି କରିବା ପରେ ପ୍ରଶାସନ ରାସ୍ତା ମରାମତି ପାଇଁ ନେଲାନି ପଦକ୍ଷେପ । ଶେଷରେ ରାସ୍ତା ଉପରେ ଧାନ ତଳି ରୋଇଲେ ଗ୍ରାମବାସୀ । ଏମିତି ଘଟଣା ଦେଖିବାକୁ ମିଳିଛି ମହାକାଳପଡ଼ା ବଡବଇଁଚା ବିଲପଡା ଗାଁରେ । ଛାତ୍ରଛାତ୍ରୀ, ମହିଳା, ଚାଷୀ ଓ ଗାଁର ମୁରବୀମାନେ ଏକତ୍ରିତ ହୋଇ କାଦୁଆ ରାସ୍ତାକୁ ସମାନ କରି ଧାନ ତଳି ପକାଇଛନ୍ତି ।

ସୂଚନା ଅନୁସାରେ, ପ୍ରଶାସନ ଓ ସରପଞ୍ଚଙ୍କୁ ଅନେକ ଥର ଗୁହାରୀ କରିଥିଲେ ମଧ୍ୟ ଗାଁକୁ ଥିବା ମାଟି ରାସ୍ତା ପକ୍କା ହୋଇପାରିଲା ନାହିଁ । ଫଳରେ ସ୍ଥାନୀୟ ଲୋକେ ଏହି ପଦକ୍ଷେପ ନେଇଛନ୍ତି । ବଢିହି-ତରପଦା ମୁଖ୍ୟରାସ୍ତାର ରତିକାନ୍ତଙ୍କ ଘରଠାରୁ ବିଲପଡା ଗ୍ରାମ ଦେଇ ଖରାଖାଇ ମନ୍ଦିର ଛକ ପର୍ଯ୍ୟନ୍ତ ଦେଢ କିମି ମାଟି ରାସ୍ତା ବିପର୍ଯ୍ୟସ୍ତ ହୋଇଯାଇଛି । ସାମାନ୍ୟ ବର୍ଷା ହେଲେ ଏହି ମାଟି ରାସ୍ତାରେ ଯିବା ଆସିବା କରିବା ଅସମ୍ଭବ ହୋଇଯାଉଛି । ରାସ୍ତାରେ ପାଣି ଜମିବା ସହ କାଦୁଅରେ ଭରି ଯାଉଛି ରାସ୍ତାଟି । ଫଳରେ ଯାତାୟାତରେ ଗାଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।