କେଜ୍ରିଓ୍ବାଲଙ୍କ ଜାମିନ ସଂକ୍ରାନ୍ତ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲା । ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ସଂକ୍ରାନ୍ତ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । ଶୁଣାଣି ବେଳେ ସିବିଆଇକୁ ସୁପ୍ରିମକୋର୍ଟ କରିଛନ୍ତି ଭର୍ତ୍ସନା । କେଜ୍ରିଓ୍ବାଲଙ୍କୁ ପୁନର୍ବାର ଗିରଫ କରାଯିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାର ଥିଲା । ମାତ୍ର କାହିଁକି ସିବିଆଇ ଏହା କଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ସମ୍ଭବତଃ ଆସନ୍ତା ମଙ୍ଗଳବାର ଜାମିନ ସଂକ୍ରାନ୍ତରେ ରାୟ ଦେଇପାରନ୍ତି କୋର୍ଟ ।

ମଦନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳି ସାରିଛି । ମାତ୍ର ସିବିଆଇ ଗିରଫ କରିବା ଯୋଗୁଁ ତାଙ୍କୁ ଜାମିନ ମିଳିପାରିନାହିଁ । ଏକ ସ୍ପେସାଲ ଲିଭ୍ ପିଟିସନ ଅନୁସାରେ ଉଭୟ ଗିରଫଦାରୀ ଓ ଅନ୍ଯାନ୍ୟ ରିମାଣ୍ଡ ଆଦେଶନାମା ବିରୋଧରେ ଆବେଦନ କରିଥିଲେ କେଜ୍ରିଓ୍ବାଲ ।

ସେପଟେ ସିବିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମଦନୀତି ମାମଲାରେ ରାଜନୈତିକସ୍ତରରେ ହଟଚମଟ ସୃଷ୍ଟି କରିବାକୁ କେଜ୍ରିଓ୍ବାଲ ଚାହୁଁଛନ୍ତି । ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ତାଙ୍କୁ ଗିରଫ କରିଥିଲା ଇଡି । କେଜ୍ରିଓ୍ବାଲ ତିହାର ଜେଲରେ ଥିବା ବେଳେ ତାଙ୍କୁ ଗତ ଜୁନ ୨୫ରେ ଗିରଫ କରିଥିଲା ସିବିଆଇ ।

ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ । ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ।