ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ, ଗୋଦାବରୀଶ ମିଶ୍ରଙ୍କ ନାମରେ ହେବ ନାମିତ

ଭୁବନେଶ୍ବର: ବଢ଼ିବ ଶିକ୍ଷାର ଗୁଣାତ୍ମକ ମାନ । ଏଥିପାଇଁ ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ । ପଞ୍ଚାୟତରେ ଥିବା ସମସ୍ତ ସ୍କୁଲ ମଧ୍ୟରୁ ଗୋଟିଏ ସ୍କୁଲ ହେବ ମଡେଲ । ଏହି ବିଦ୍ଯାଳୟ ଗୋଦାବରୀଶ ମିଶ୍ରଙ୍କ ନାଁରେ ହେବ ନାମିତ । ଭିତ୍ତିଭୂମି ଉନ୍ନତି ସହ ଶିକ୍ଷକ ନିଯୁକ୍ତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ହେବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟସ୍ତରୀୟ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକ ଓ ଚଳିତଶିକ୍ଷା ବର୍ଷରେ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ହେବେ । ସେହିପରି ଡ୍ରପ ଆଉଟ ସମସ୍ଯା ରୋକିବା ଲାଗି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ରୋକିବାକୁ ସରକାର ଏହି ଯୋଜନା କରିଛନ୍ତି । ଏଥିରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବା ଛାତ୍ରଛାତ୍ରୀ ଓ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ପିଲାମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ୱେବ ସାଇଟ ସହ ବିଭିନ୍ନ ପୋର୍ଟାଲ ଓ ପୁସ୍ତକର ହୋଇଛି ଉନ୍ମୋଚନ । ‘ନିପୁଣ ଓଡିଶା’ ଲୋଗୋ ସହ ଥିମ ଗୀତ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା ଜ୍ୟୋତି ପୋର୍ଟାଲ, କ୍ୟାରିୟର କାଉନସେଲିଂ ୱେବ ସାଇଟ, ପ୍ରାଇଭେଟ ସ୍କୁଲ ମ୍ୟାନେଜମେଣ୍ଟ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଛି ।