ସେଲଫୋନ ବ୍ୟବହାରକାରୀ ସାବଧାନ, ହୃଦରୋଗର ହେବେ ଶିକାର !

ନନ୍ଦିଘୋଷ ବ୍ୟୁରୋ: ସେଲଫୋନ ବ୍ୟବହାରକାରୀ ସାବଧାନ । ସେଲଫୋନ ବ୍ୟବହାର ସହ ହୃଦରୋଗର ରହିଛି ସମ୍ପର୍କ । ବିଶେଷ କରି ଧୂମପାନ କରୁଥିବା ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ବୋଲି ଗବେଷଣାରୁ ଜଣାଯାଇଛି । ସେଲଫୋନ ବ୍ୟବହାର କମ୍ ନିଦ୍ରା, ମନସ୍ତାତ୍ତ୍ବିକ ଚାପ, ନକାରାତ୍ମକ ଭାବାବେଗ ଆଦିର କାରଣ ହୋଇଥାଏ ବୋଲି କୁହାଯାଇଛି । କମ୍ ନିଦ୍ରା ଓ ଦୁର୍ବଳ ମାନସିକ ସ୍ବାସ୍ଥ୍ୟ ସାଧାରଣତଃ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ଯାହାର ଫଳସ୍ବରୂପ ହୃଦସ୍ପନ୍ଦନ, ଅନ୍ତଃସ୍ରାବୀ ବା ଏଣ୍ଡୋକ୍ରାଇନ ଓ ମେଟାବୋଲିକ କ୍ଷେତ୍ରରେ ବାଧା ହେତୁ ହୃଦରୋଗ ପରି ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସ୍ପଷ୍ଟ କରିଛନ୍ତି ଚୀନର ଗବେଷକ ଡାକ୍ତର ଜିଆନହୁଇ କିନ୍ । ବଡକଥା ହେଉଛି ପ୍ରାୟ ଦୁଇ ଦଶନ୍ଧି ତଳର ସଂଗୃହୀତ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । କାନାଡିଆନ ଜର୍ଣ୍ଣାଲ ଅଫ କାର୍ଡିଓଲୋଜିରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୦୬ରୁ ୨୦୧୦ ମଧ୍ୟରେ ସଂଗୃହୀତ ତଥ୍ୟରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ଗବେଷକମାନେ ୪ ଲକ୍ଷ ୪୪ ହଜାର ମଧ୍ୟବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ପରୀକ୍ଷା କରିଥିଲେ । ଯେଉଁମାନେ ସପ୍ତାହକୁ ଥରେ କଲ୍ କରନ୍ତି କିମ୍ବା ରିସିଭ କରନ୍ତି ଏବଂ ଯେଉଁମାନେ ପ୍ରତି ସପ୍ତାହରେ ଘଣ୍ଟାଏ କିମ୍ବା ଅଧିକ ବ୍ୟବହାର କରିଥାନ୍ତି ସେମାନଙ୍କୁ ନେଇ ଗବେଷଣା କରାଯାଇଥିଲା । ଯେଉଁମାନଙ୍କୁ ନେଇ ଏହି ଗବେଷଣା ଚାଲିଥିଲା ସେମାନଙ୍କୁ ପ୍ରାୟ ୧୨ ବର୍ଷ ଲାଗି ମନିଟରିଂ କରାଯାଇଥିଲା । ସେମାନଙ୍କ ହସ୍ପିଟାଲ ଯିବା ଓ ଷ୍ଟ୍ରୋକ, କରୋନାରୀ ହାର୍ଟ ଡିଜିଜ, ଆର୍ଟିଆଲ ଫିବ୍ରିଲେସନ ଓ ହାର୍ଟ ଫେଲୁଅର ସମ୍ପର୍କରେ ଜାଣିବା ଲାଗି ସେମାନଙ୍କ ମୃତ୍ୟୁର ରେକର୍ଡ ବି ରଖାଯାଉଥିଲା । ସେମାନଙ୍କ ମଧ୍ୟରୁ ୫୬ ହଜାର ଲୋକଙ୍କ କ୍ଷେତ୍ରରେ ହୃଦରୋଗ ଦେଖାଯାଇଥିଲା । ବିଶେଷ କରି ଧୂମପାନ କରୁଥିବା ଓ ମଧୁମେହରେ ପୀଡିତ ଥାଇ ଅଧିକ ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ରିସ୍କ ଅଧିକ ଥିଲା । ୧୧.୫% ବ୍ୟକ୍ତି ମନସ୍ତାତ୍ତ୍ବିକ ଚାପ, ୫.୧% ବ୍ୟକ୍ତି କମ୍ ନିଦ୍ରା ଓ ୨.୨୫% ବ୍ୟକ୍ତି ନକରାତ୍ମକ ଭାବାବେଗର ଶିକାର ହୋଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି ।