ଭୋଟ ନେଲ ଠକିଦେଲ, ସବୁ ମହିଳାଙ୍କୁ ସାମିଲ କର

1 min read

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କର । ନିର୍ବାଚନୀ ପ୍ରତିଶୃତି ଅନୁସାରେ ଦୁଇ ବର୍ଷ ଭିତରେ ନଗଦ ପଚାଶ ହଜାର ଭାଉଚର ଦିଅ l ବିଧାନସଭାରେ ସୁଭଦ୍ରା ଯୋଜନା ନେଇ ବିଜେଡି ଆଣିଥିବା ମୁଲତବୀ ପ୍ରସ୍ତାବରେ ଏପରି ଦାବି କରିଛି ଦଳ l ଭୋଟ ନେଇ କାହିଁକି ମହିଳା ମାନଙ୍କୁ ଶାସକ ବିଜେପି ପ୍ରତାରଣା କରୁଛି ତାକୁ ନେଇ ଘେରିଛନ୍ତି ବିରୋଧୀ ଦଳ । ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ତ୍ରୁଟିପୂର୍ଣ୍ଣ ନୀତି, ଗାଇଡଲାଇନ ଓ ଆବେଦନ ପ୍ରକ୍ରିୟା ଯୋଗୁ ବହୁ ମହିଳା ଏହି ଯୋଜନାରୁ ବାଦ୍ ପଡ଼ୁଛନ୍ତି ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି l ଯାହାର ଜବାବ ଦେଇ ଶାସକ ଦଳ ଯୁକ୍ତି ବଢ଼ିଛି ଯେ, ମହିଳାଙ୍କୁ ସଶକ୍ତ କରିବାକୁ ସୁଭଦ୍ରା ଯୋଜନା କରାଯାଇଛି l

ବିଧାନସଭାରେ ସୁଭଦ୍ରା ସତ । ବିଜେପି ମୁଖା ଖୋଲିଲେ ବିଜେଡି ଓ କଂଗ୍ରେସ l ପ୍ରଶ୍ନ, କୁଆଡେ ଗଲା ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରତିଶୃତି । ଅଭିଯୋଗ ଭୋଟ ନେଇ ଠକିଦେଲା ବିଜେପି । ସବୁ ମହିଳାଙ୍କୁ ସାମିଲ୍ କରିବାକୁ ଦାବି ।. ..ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ପ୍ରତାରଣାର ଝଡ । ମୁହାଁମୁହିଁ ସରକାରୀ ଦଳ ଓ ବିରୋଧୀ ଦଳ । ସୁଭଦ୍ରା ଯୋଜନାରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଗାଇଡଲାଇନ୍ ଓ ଆବେଦନ ପ୍ରକ୍ରିୟା ଯୋଗୁ ବାଦ୍ ପଡ଼ୁଛନ୍ତି ଲକ୍ଷ ଲକ୍ଷ ମହିଳା । ରାଜ୍ୟର ସବୁ ମହିଳାମାନଙ୍କୁ ସାମିଲ କରାଯିବାର ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଥିବା ମୁଲତବୀ ପ୍ରସ୍ତାବ ଆଣି ଗୃହରେ ମୋହନ ସରକାରଙ୍କୁ ଘେରିଥିଲା ବିଜେଡି l

ବିଜେଡି ବିଧାୟକ ଅରୁଣ ସାହୁ ଆଲୋଚନାରେ ଭାଗ ନେଇ ଅଭିଯୋଗ କରିଥିଲେ ଯେ ବିଜେପି ତାର ନିର୍ବାଚନ ଇସ୍ତାହାରରେ ଯାହା କହିଥିଲା ତାକୁ ପାଳନ କରୁନାହିଁ l ୧୮ବର୍ଷ ମହିଳାଙ୍କ ଠାରୁ ଭୋଟ ନେଇ ତାଙ୍କୁ କାହିଁକି ସୁଭଦ୍ରା ଯୋଜନାରେ ବାଦ ଦିଆଯିବ ସେ ନେଇ ପ୍ରଶ୍ନ କରିଥିଲେ । ଡବଲ ଇଞ୍ଜିନ ସରକାରର ଛୋଟ ଇଞ୍ଜିନ ବଡ଼ ଇଞ୍ଜିନକୁ କହି ବାଦ ପଡ଼ୁଥିବା ମହିଳାଙ୍କ ପାଇଁ ଅର୍ଥ ଯୋଗାଡକରିବେ । ପାଞ୍ଚ ବର୍ଷରେ ୫୦ ହଜାରରେ ମହିଳା କଣ ଉଦ୍ୟୋଗୀ ହୋଇପାରିବ କି ? ତେଣୁ ଏକକାଳୀନ ପଚାଶ ହଜାର ଟଙ୍କା ଦିଆଗଲେ ମହିଳା ସଶକ୍ତହୋଇପାରିବେ ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଗୃହରେ ଦାବି କରିଥିଲେ l

ଏହି ଅବସରରେ ସେ ଅକ୍ଷୟ ମହାନ୍ତିଙ୍କ ହୃଦୟର ଏହି ଶୂନ୍ଯତାକୁ  ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ୱନୀ କହେ ତୁମେ ଗାଇ କଟାକ୍ଷ କରିଥିଲେ  l ସୁଭଦ୍ରା ଯୋଜନା ଓ ଭତ୍ତା ନେଇ ଗାଁ ଗାଁ ରେ ଏହି କଥା ବିଜେପି ବିଧାୟକଙ୍କୁ  ଓଡିଶାବାସୀ  ପଚାରିବେ ବୋଲି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଚେତାଇ ଦେଇଥିଲେ l ବାରମ୍ବାର ବିଜେପି ନିଜର କଥା ବଦଳାଉଛି l ସୁଭଦ୍ରା ନେଇ ଜୁମଲା କରୁଛି । ସୁଭଦ୍ରାଙ୍କ ନାଆଁ ନେଇ ମାମାନଙ୍କୁ ଠକୁଛି ବିଜେପି । ମାସକୁ ମାତ୍ର ୮୩୩ ଟଙ୍କା ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ l ଏଥିରେ ମା ମାନେ କିପରି ଉଦ୍ଯୋଗୀ ହେବେ l ଏହା କଣ ମହିଳାଙ୍କୁ ପ୍ରତାରଣା ନୁହେଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି l

ସେପଟେ ମୁଲତବୀ ପ୍ରସ୍ତାବରେ ଭାଗନେଇ କଂଗ୍ରେସ ବିଧାୟକ ଅଶୋକ ଦାସ  ଓ ସୋଫିଆ ଫିରଦୌସ ମୋହନ ସରକାରଙ୍କୁ ସୁଭଦ୍ରା ଯୋଜନାରେ ପ୍ରତାରଣା ନେଇ ବର୍ଷିଛନ୍ତି l କଂଗ୍ରେସ ଅଭିଯୋଗ କରିଛି ଗୃହରେ ବିବୃତିକୁ ବାଟବଣା କରୁଛି ଶାସକ ଦଳ। ସୁଭଦ୍ରା ଯୋଜନାରେ ୨ବର୍ଷରେ ୫୦ ହଜାର ଦେବୁ କହିଲେ । ଏବେ ୫ ବର୍ଷରେ ୫୦ ହଜାର ଦେବେ କହିଲେ। ହିସାବରେ ଦିନକୁ ମାତ୍ର ୨୬.୭୭ ପଇସା ପଡୁଛି। ତାହେଲେ କେମିତି ସଶକ୍ତ ହେବେ ବିଜେପିକୁ ପ୍ରଶ୍ନ କରିଛି ଦଳ l

ସେହିପରି ମୋହନ ସରକାର ନିର୍ବାଚନ ପରେ କିପରି ଓଡିଶାବାସୀଙ୍କୁ ପ୍ରତାରଣା କରିଛନ୍ତି ତାହାର ଉଦାହରଣ ଦେଇଥିଲା ଗୃହରେ l  ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ, ୩୦୦ୟୁନିଟ ବିଜୁଳି ମାଗଣା, ଛାତ୍ର ନିର୍ବାଚନ, ନିକଟରେ ଧରା ପଡ଼ିଥିଲା ୯୦ କେଜି ସୁନା ପରେ ତାହା ୨୫ କେଜି ହୋଇଯିବା କଥା ଉଠାଇଥିଲା କଂଗ୍ରେସ l ସେପଟେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ କପୋଳ କଳ୍ପିତ ଓ ସତ୍ୟରୁ ବହୁ ଦୂରରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ଯୋଜନାରେ ସର୍ବାଧିକ ହିତାଧିକାରୀ ଲାଭାନ୍ବିତ ହେବେ ବୋଲି କହିଛନ୍ତି ପ୍ରଭାତୀ ।

ସୁଭଦ୍ରା ଯୋଜନାକୁ ନେଇ ବାରମ୍ବାର ମୋହନ ସରକାର ଗାଇଡଲାଇନ ବଦଳାଇବା ଓ ସବୁ ମହିଳାଙ୍କୁ ସାମିଲ ନକରିବା ନେଇ ବିଧାନସଭାରେ ବିଭିନ୍ନ ଫୋରମରେ ପ୍ରତିବାଦ କରୁଛନ୍ତି ବିରୋଧୀ l ଯାହା ଶାସକ ଦଳର ଚିନ୍ତା ବଢ଼ାଇଛି l  ତେବେ ଏଠି ପ୍ରଶ୍ନ ଏତେ ସବୁ ପରେ ବିଜେପି ସୁଭଦ୍ରା ଯୋଜନା ନେଇ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ ନା ଏ ପ୍ରସଙ୍ଗକୁ ଏଡ଼ାଇ ଦେବ ।