ଛାତିଥରା ଦୁର୍ଘଟଣା, ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

ଉଦଳା: ଗାଡି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୋଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ । ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ସୁର୍ଘଟଣା । ବିଳମ୍ବିତ ରାତିରେ ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଙ୍ଗ ଏବଂ ଚେକିଂ କରୁଥିଲେ। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗାଡି ଛିଡା କରି ବାଇକରେ ଯାଉଥିବା ଯୁବକଙ୍କ ତନଖି ନିମନ୍ତେ ଅନ୍ୟ କର୍ମଚାରୀ ଓହ୍ଲାଇଥିବା ବେଳେ ହଠାତ ବାରିପଦାରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ପୋଲିସ ଗାଡିକୁ ଧକ୍କା ଦେଇଥିଲା। ଏତେ ଜୋରରେ ଧକ୍କା ଦେଇଥିଲା ଯେ ପୋଲିସ ଗାଡିଟି ୩ ରାଉଣ୍ଡ ଓଲଟି ଥିଲା । ପରେ ୧୦୮ ଆମ୍ବୁଲାନ୍ସଟି ପୋଲିସ ଗାଡିକୁ ଘୋଷାରି ନେଇଥିଲା । ପୋଲିସ ଗାଡି ଓଲଟିବା ଫଳରେ ଗାଡ଼ିରେ ଥିବା ଉଦଳା ଆଇଆଇସି ବନମାଳୀ ବାରିକ, ଡ୍ରାଇଭର ସଦାନନ୍ଦ ସିଂ ଗାଡି ଭିତରେ ଗୁରୁତର ହୋଇଥିଲେ । ଅନ୍ୟପଟେ ଗାଡି ଭିତରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତଙ୍କର ପୋଲିସ ଗାଡି ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା । ୧୦୮ ଆମ୍ବୁଲାନ୍ସର ହେଲ୍ପର ହେମନ୍ତ ନାଏକ, ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଗାଡି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳୀ ବାରିକ ଙ୍କ ଅବସ୍ଥା ବିପଦସଂକୁଳ ରହିଥିବାରୁ ସେମାନଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରାଯାଇଛି।