‘ସୁଭଦ୍ରା’ ନାଁରେ ନିର୍ବାଚନୀ ପ୍ରତିଶ୍ରୁତିର ପାହାଡ଼ରେ ଚଢ଼ାଇ ଦେଇ ଲଲିପପ୍ ଧରାଇ ଦେଲେ ମୋହନ ସରକାର

1 min read

ଭୁବନେଶ୍ବର: ବିଜେପି ସରକାର ପ୍ରତିଶ୍ରୁତି ପାଣିର ଗାର । ନିର୍ବାଚନୀ ପ୍ରତିଶ୍ରତି ଦେଇ ସରକାରକୁ ଆସିଲେ । ହେଲେ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ଠକି ଦେଲା ବିଜେପି । ଯାହାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି । ମୁଖ୍ୟ ବିରୋଧୀ ବିଜେଡି ଦାବି କରିଛି ଯେ, ବିଜେପି ସରକାର ନିର୍ବାଚନ ବେଳେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବ ବୋଲି କହିଥିଲା । ତେଣୁ ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ଦାବିରେ ଗୃହରେ ହଙ୍ଗାମା କରିଛି ବିଜେଡି । ସଂକଳ୍ପ ପତ୍ରରେ ଯାହା କହିଥିଲ କାହିଁକି ତାହାକୁ କାର୍ଯ୍ୟକାରୀ କରୁନ ବୋଲି ଶାସକ ଦଳକୁ ପ୍ରଶ୍ନ କରିଛି କଂଗ୍ରେସ । ବିରୋଧୀ ଗୃହରେ ନାରାବାଜି ଦେବା ପରେ ଶାସକ ବିଜେପି କିନ୍ତୁ ସୁଭଦ୍ରା ଯୋଜନାକୁ ନେଇ ରଖିଛି ଭିନ୍ନ ଯୁକ୍ତି ।

ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ସଙ୍କଳ୍ପ ପତ୍ରରେ ଘୋଷଣା କରିଥିଲା ବିଜେପି । ସବୁ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ ଦେଇଥିଲା ପ୍ରତିଶ୍ରୁତି । ହେଲେ କ୍ଷମତାକୁ ଆସିବା ପରେ ବଦଳିଗଲା ଆଭିମୁଖ୍ୟ । ସୁଭଦ୍ରା ଯୋଜନା ଗାଇଡଲାଇନ୍ ଓ ଏସଓପି ଯୋଗୁଁ ବାଦ ପଡ଼ିବେ ବହୁ ମହିଳା । ଯାହାକୁ ନେଇ ବିଧାନସଭାରେ ହଙ୍ଗାମା କରିଛି ମୁଖ୍ୟ ବିରୋଧୀ ବିଜେଡି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ କରିଥିଲେ ପ୍ରଶ୍ନ । କହିଥିଲେ- କେବଳ ନିର୍ବାଚନ ଜିତିବା ପାଇଁ ମାଆମାନଙ୍କୁ ମିଛ କହିଥିଲା ବିଜେପି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଅପମାନ କରିବା ସହ ଠକି ଦେଲା ଗେରୁଆ ଦଳ । ତେଣୁ ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କର । କେବଳ ମିଛ କହି ଭୋଟ ହାତେଇଥିବା କଥା ବିଜେପି ସ୍ବୀକାର କରୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଦାବି କରିଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ସମାନ କଥା ଉଠାଇଛି । ବିଜେପି ତା’ର ପ୍ରତିଶ୍ରୁତି ପାଳନ କରୁ ବୋଲି ପରାମର୍ଶ ଦେଇଛି କଂଗ୍ରେସ । ସୁଭଦ୍ରା ପାଇଁ ଯେଉଁ ସବୁ ଗାଇଡଲାଇନ ରହିଛି ସେଥିରୁ ଅନେକ ମହିଳା ବାଦ ପଡ଼ିବେ । ପାଚିକା, ସ୍ବାମୀ ପରିତ୍ୟକ୍ତାଙ୍କ ଭଳି ଅନେକ ବର୍ଗ ଏଥିରୁ ହେବେ ବଞ୍ଚିତ । ତେଣୁ ମାଆମାନଙ୍କ କ୍ଷେତ୍ରରେ ଭେଦଭାବ ସୃଷ୍ଟି ନକରୁ ଶାସକ ଦଳ । ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ମହିଳାଙ୍କୁ ଠକିବା ପାଇଁ ସୁଭଦ୍ରା ଯୋଜନା କରିଛନ୍ତି ସରକାର ।

ହେଲେ ବିରୋଧୀଙ୍କ ଅଭିଯୋଗକୁ ନେଇ ଭିନ୍ନ ଯୁକ୍ତି ବାଢ଼ିଛି ବିଜେପି । ଦଳ ଏମିତି କିଛି ପ୍ରତିଶ୍ରୁତି ଦେଇନାହିଁ ବୋଲି କହିଛନ୍ତି ବିଧାୟକ ଅଶୋକ ମହାନ୍ତି । ଯାହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।

ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ଗୃହରେ ନାରାବାଜି ଓ ପ୍ରତିବାଦ କରିବାରୁ ବାରମ୍ବାର ମୁଲତବି ହୋଇଥିଲା ଗୃହ। ସାଧାରଣ ନିର୍ବାଚନରେ ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଅନେକ ବଡ଼ ବଡ଼ ଘୋଷଣା କରିଥିଲା ବିଜେପି । ତେଣୁ ଏବେ ଏସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।