ଦକ୍ଷିଣ ଭାରତରେ ପ୍ରବଳ ବର୍ଷା, ତେଲାଙ୍ଗାନାରେ ସ୍କୁଲ ଛୁଟି ଘୋଷଣା

ହାଇଦ୍ରାବାଦ: ବିଗିଡୁଛି ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗନାରେ ସ୍ଥିତି। ବର୍ଷା ଯୋଗୁ ଦୁଇ ରାଜ୍ଯରେ ଜନଜୀବନ ବିପର୍ଯ୍ୟସ୍ତ। ପ୍ରବଳ ବର୍ଷାକୁ ନେଇ ରେଡଆଲର୍ଟ ଦୃଷ୍ଟିରୁ ଆଜି ତେଲାଙ୍ଗାନାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ଦ ରହିବ ସରକାରୀ ଓ ଘରୋଇ ପ୍ରତିଷ୍ଠାନ। ଶିଶୁମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ଲାଗି ଅଭିଭାବକଙ୍କୁ ଦିଆଯାଇଛି ପରାମର୍ଶ।

ଲଘୁଚାପ ଯୋଗୁଁ ତେଲଙ୍ଗାନାରେ ପାଗ ଖରାପ ରହିବା ସହ ବର୍ଷା ଜାରି ରହିଛି। ସେପଟେ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ମୃତ୍ଯୁ ସଂଖ୍ଯା ୯ ହୋଇଛି। ପ୍ରବଳ ବର୍ଷା ଜାରି ରହିବା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି।

କ୍ରିଷ୍ଣା ଓ ଗୁଣ୍ଟୁର ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଛି। ରାଜ୍ଯରେ ବନ୍ଯାସ୍ଥିତି ନେଇ ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ। ବିଭିନ୍ନ ସ୍ଥାନରେ ରେସ୍କ୍ଯୁ ଓ ରିଲିଫ ଅପରେସନ ତ୍ବରାନ୍ବିତ କରିବା ଲାଗି ସେ ଦେଇଛନ୍ତି ନିର୍ଦ୍ଦେଶ। ବିଦ୍ଯୁତ, ପାଣି ଓ ଟେଲିଯୋଗାଯୋଗ ସମ୍ପୂର୍ଣ୍ଣ ବ୍ଯାହତ ହୋଇଛି। ଟ୍ରେନ ଚଳାଚଳ ବି ପ୍ରଭାବିତ ହୋଇଛି।