ଓଡ଼ିଶାରେ କୋଲକାତା କେସ୍ ରିପିଟ୍: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସମ୍ବଲପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ଯା ଅଭିଯୋଗ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା । ଆଜି ସକାଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ଯୁବତୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ୩ ଦିନ ତଳେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲ ଭିତରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଯୁବତୀ ଜଣକ ଗତ ଶୁକ୍ରବାର ଦିନ ଘର ନିକଟ ଏକ ନାଳକୁ ଗାଧୋଇବାକୁ ଯାଇଥିଲେ । ଏହାପରେ ସେ ଆଉ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରିବାକୁ ନାଳ ନିକଟରେ ଯୁବତୀଙ୍କ ଚପଲ, କପଡା ଓ ମୋବାଇଲ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକେ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ । ନିଖୋଜର ୩ ଦିନ ପରେ କିଛି ମହିଳା ବିଲକୁ ଯାଉଥିବାବେଳେ ଦୁର୍ଗନ୍ଧ ବାରି ପାଖକୁ ଯିବାରୁ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର କରିଥିଲେ । ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ଆସି ଛାନବିନ ଆରମ୍ଭ କରିଛି । ମାମଲାରେ ହରିହର ବେହେରା ନାମକ ଜଣେ ବ୍ଯକ୍ତିଙ୍କୁ ଅଟକ ରଖିଛି ପୋଲିସ ।

ଯୁବତୀଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ହରିହରକୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ନାକଟିଦେଉଳରୁ ଅନୁଗୁଳ ରାସ୍ତା ଅବରୋଧ କରିଛନ୍ତି । ଫଳରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପାରିନାହିଁ । ଏବେ ବି ଘଟଣା ସ୍ଥଳରେ ଯୁବତୀଙ୍କ ମୃତଦେହ ପଡ଼ି ରହିଛି । ରାସ୍ତାରୋକ କାରଣରୁ ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି ।