ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍

ରାଞ୍ଚି: ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି । ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପାଇଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି। ଗତ ୨୮ ତାରିଖରେ ଚମ୍ପାଇ ସୋରେନ ଜେଏମଏମ ସହ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

ଦଳ ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛି, ତାହା ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି ବୋଲି ଚମ୍ପାଇ କହିଥିଲେ । ଏହା ସହିତ ଦଳ ଆପଣାଉଥିବା ନୀତିଗୁଡ଼ିକ ସହିତ ମଧ୍ୟ ସେ ସହମତ ନଥିବା ଉଲ୍ଲେଖ କରିଥିଲେ । ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ।

ତେବେ ହେମନ୍ତ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା । ଜେଏମଏମରେ ବିଦ୍ରୋହୀ ଭାବେ ଚମ୍ପାଇ ସୋରେନ ଗତ ୧୫ ଦିନ ହେବ ଚର୍ଚ୍ଚାରେ ରହିଥିଲେ । ଗତ ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ । ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।