ଭୁବନେଶ୍ୱର : ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ଐତିହ୍ୟ କରିଡର ଚିଠାକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଏକ ରୂପ ସଂପର୍କରେ କହିଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ଆଜି ପୁରୀ ପାଇଁ କାହିଁକି ଏତେ କାର୍ଯ୍ୟକ୍ରମ ହୋଇଛି ? କଣ ଥିଲା ସେ ଦିନର ଘଟଣାକ୍ରମ ସେ ସବୁକୁ କହିଥିଲେ ପାଣ୍ଡିଆନ୍ ।

ସଚିବ କହିଥିଲେ ଯେ, ସେଦିନ ଥିଲା ୨୦୧୬ ମସିହା । ନୂଆ ବର୍ଷରେ ସେ ଓ ମୁଖ୍ୟମନ୍ତ୍ରୀ ପୁରୀ ଯାଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ପଛପଟେ ବସିଥିଲେ ବ୍ୟକ୍ତିଗତ ସଚିବ । ନୂଆବର୍ଷ ହୋଇଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଏକାଧିକ ହୋର୍ଡିଂ ଲାଗିଥିଲା । ପ୍ରାୟ ପ୍ରତ୍ୟକ ହୋର୍ଡିଂରେ ଥିଲା ମହାପ୍ରଭୁଙ୍କ ଫଟୋଚିତ୍ର । ସେ ଥରେ କିମ୍ବା ୨ ଥର ନଜର କଲେ ଯେ, କୌଣସି ଏକ ହୋର୍ଡିଂ ଆସିବା ବେଳେକୁ ସେଥିରେ ଥିବା ମହାପ୍ରଭୁଙ୍କ ଫଟୋ ଦେଖି, ମୁଖ୍ୟମନ୍ତ୍ରୀ ଆଖି ବନ୍ଦ କରିବା ସହ ମୁଣ୍ଡିଆ ମାରିବା ଶୈଳୀରେ ପ୍ରାର୍ଥନା କରୁଛନ୍ତି । ଗୋଟିଏ କିମ୍ବା ଦୁଇଟି ନୁହେଁ ପୁରା ୪୦-୫୦ କିଲୋମିଟର ରାସ୍ତାରେ ଯେତେସବୁ ହୋର୍ଡିଂ ଆସୁଥିଲା ଏବଂ ଯେଉଁଥିରେ ମହାପ୍ରଭୁଙ୍କର ଫଟୋ ଥିଲା ସେ ସବୁକୁ ଦେଖି ଠାକୁରଙ୍କୁ ପ୍ରାର୍ଥନା କରୁଥିଲେ ମୁଖ୍ୟମନ୍ତ୍ରୀ ।

ସେତେବେଳେ ସେ ଦେଖିଲେ ଭିନ୍ନ ଜଣେ ମୁଖ୍ୟମନ୍ତ୍ରୀଙ୍କୁ । ଜାଣିବାକୁ ପାଇଲେ ତାଙ୍କର ଭିନ୍ନ ଏକ ସ୍ୱରୂପକୁ । ଏହାପରେ ପୁରୀ ପହଞ୍ଚି ଉଭୟ ମନ୍ଦିର ମଧ୍ୟକୁ ପ୍ରବେଶ କଲେ, ସେଠାରେ ପୁଣିଥରେ ମହାପ୍ରଭୁଙ୍କ ସାମ୍ନାରେ ଭିନ୍ନ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲେ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ମହାପ୍ରଭୁଙ୍କୁ ପ୍ରାର୍ଥନା କରି ଫେରିଲେ ମୁଖ୍ୟମନ୍ତ୍ରୀ । ରାସ୍ତାରେ ସେ ବ୍ୟକ୍ତିଗତ ସଚିବଙ୍କୁ କହିଲେ ଯେ, ଆମେ ମହାପ୍ରଭୁଙ୍କ ମନ୍ଦିର ପାଇଁ କିଛି କଲେ ଭଲ ହୁଅନ୍ତା । ସେବେଠାରୁ ଆରମ୍ଭ ହେଲା ଶ୍ରୀକ୍ଷେତ୍ର ନବକଳେବରର ପରିକଳ୍ପନା ।

ସେହିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ନିଷ୍ପତ୍ତି ହେଲା ଯେ, ପୁରୀ ବଡ଼ଦାଣ୍ଡରେ ଥିବା ଜେଲ୍ ସ୍ଥାନାନ୍ତର ହେବ । ପ୍ରଥମେ ଏହାକୁ କେହି ବୁଝିପାରିନଥିଲେ । ହଠାତ୍ ବଡ଼ଦାଣ୍ଡ ଉପରେ ଥିବା ଏତେ ବର୍ଷର ପୁରୁଣା ଜେଲକୁ କାହିଁକି ସ୍ଥାନାନ୍ତର କରାଯାଉଛି ବୋଲି ସମସ୍ତେ ପ୍ରଶ୍ନ କରିଥିଲେ । ତତ୍କାଳୀନ ଜେଲ୍ ଏଡିଜି ମଧ୍ୟ ଏହାକୁ ବିରୋଧ କରିଥିବା ପାଣ୍ଡିଆନ୍ କହିଛନ୍ତି । ପରେ ୧୫ ମାସରେ ନୂଆ ଜେଲ୍ ସ୍ଥାପନ କରାଯାଇ ସେଠାକୁ ସ୍ଥାନାନ୍ତର କରାଗଲା । ସେଦିନ ଯେଉଁ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା, ଆଜି ସମସ୍ତେ ତାକୁ ଦେଖିବା ସହ ବୁଝିପାରୁଥିବା କହିଛନ୍ତି ୫-ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ।

