ଜାତୀୟ କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ

ଭୁବନେଶ୍ବର: ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଆଜି ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ କନଭେନସନ ହାଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି ।

ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫଟରେ ପୁଷ୍ପ ଅର୍ପଣ ପରେ ଦେଶର ହକିର ବିକାଶ ଦିଗରେ ତାଙ୍କର କ’ଣ ଭୂମିକା ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବିଭିନ୍ନ କ୍ରୀଡ଼ାବିତ, କୋଚ, କ୍ରୀଡା ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଶ୍ରେଷ୍ଠ ବିଜୁ ପଟ୍ଟନାୟକ କ୍ରୀଡା ସାମ୍ବାଦିକ ଭାବେ ପ୍ରମେୟ ଖବର କାଗଜର ଶୁକେଶ ରଞ୍ଜନ ବେହେରାଙ୍କୁ ସମ୍ମାନିତ କରାଯିବା ସହ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଭାରୋତ୍ତୋଳକ ଶୁଚିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ ଉଦୀୟମାନ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ପୁରସ୍କାର ବାବାଦକୁ ୨ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ରୂପନ୍ୱିତା ପଣ୍ଡାଙ୍କୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ ଟେକ୍ନିକାଲ ଅଫିସର, ମହମ୍ମଦ ଜାଫର ଇକବାଲଙ୍କୁ ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡାବିତ, ହକି କୋଚ ବିଜୟ କୁମାର ଲାକ୍ରା ଶ୍ରେଷ୍ଠ କୋଚ ଭାବେ ସମ୍ମାନିତ କରାଯିବା ସହ ୨ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ସେହିପରି ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ଭାବେ ନାଲକୋକୁ ମାନପତ୍ର ସହ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜାଭେଲିନ ଥ୍ରୋରେ ଓଡ଼ିଶାକୁ ଗର୍ବିତ କରିଥିବା କିଶୋର କୁମାର ଜେନା ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି । ହକି ଲିଜେଣ୍ଡ ଲାଜରୁସ ବାର୍ଲାଙ୍କୁ ବିଜୁ ପଟ୍ଟନାୟକ ଜୀବନ ବ୍ୟାପି ସାଧନ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ଟ୍ରଫି ସହ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ୧୨ ବର୍ଷର ବାଳକ ରୁଦ୍ର ପ୍ରସାଦ ମଲ୍ଲିକ ଏବଂ ତାଙ୍କ ମାଆ ଜୟନ୍ତୀ ମଲ୍ଲିକଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଇଛି । ସେମାନଙ୍କୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଗତ ମାର୍ଚ୍ଚ ମାସରେ ୫ ଜଣ ଯୁବକ ନଦୀରେ ଭାସି ଯାଉଥିବା ବେଳେ ରୁଦ୍ର ଏବଂ ତାଙ୍କ ମାଆ ଜୟନ୍ତୀ ଜୀବନକୁ ବାଜି ଲଗାଇ ସେମାନଙ୍କ ମଧ୍ୟରୁ ୩ ଜଣକ ଜୀବନ ବଞ୍ଚାଇ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।