ଦରଦାମ ବୃଦ୍ଧି ଭାଙ୍ଗି ଦେଲାଣି ଅଣ୍ଟା, ବଜାର ପ୍ରତି କମୁଛି ଗ୍ରାହକଙ୍କ ଆସ୍ଥା

ଭୁବନେଶ୍ବର: ବଜାର ପ୍ରତି ଗ୍ରାହକଙ୍କ କମୁଛି ଆସ୍ଥା । ଦରଦାମ ବୃଦ୍ଧି ଓ ବେରୋଜଗାରୀ ଏଥିପାଇଁ ମୁଖ୍ଯତଃ ଦାୟୀ । ଯେଉଁଥି ପାଇଁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତି ବିପନ୍ନ । ଖୋଦ ରିଜର୍ଭ ବ୍ୟାଙ୍କର ଖାଉଟି ଆସ୍ଥା ସର୍ଭେ ରିପୋର୍ଟ କହୁଛି ମହଙ୍ଗା ବଜାର ଯୋଗୁଁ ସହରାଞ୍ଚଳ ଖାଉଟି କଷ୍ଟାର୍ଜିତ ଅର୍ଥ ବଜାରରେ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି । ଫଳରେ ଅର୍ଥନୀତି ଯେଉଁ ଗତିରେ ବଢିବା କଥା ତାହା ହେଉନି । ଆସନ୍ତାକାଲି କେନ୍ଦ୍ର ସରକାର ଚଳିତବର୍ଷର ପ୍ରଥମ ଅଭିବୃଦ୍ଧି ରିପୋର୍ଟ ପ୍ରକାଶ କରିବେ । ତେବେ ଦେଶର ଅଭିବୃଦ୍ଧି ସେତେଟା ଭଲ ହେବନି ବୋଲି ତା’ପୂର୍ବରୁ ଏହି ଖାଉଟି ଆସ୍ଥା ସର୍ଭେ ରିପୋର୍ଟ ଆଶଂକା ସୃଷ୍ଟି କରିଛି ।

ବଜାରରେ ତାତି, ହତାଶ ଖାଉଟି । ଭଲ ସ୍ଥିତିରେ ନାହିଁ ଦେଶର ଅର୍ଥନୀତି । ଖୁଚୁରା ବଜାରରେ କାରବାର ଦିନକୁ ଦିନ କମୁଛି । ପ୍ରଭାବିତ ହେବାକୁ ବସିଛି ଦେଶର ଘରୋଇ ଉତ୍ପାଦ । ରିଜର୍ଭ ବ୍ୟାଙ୍କ ଖାଉଟି ଆସ୍ଥା ସର୍ଭେ ରିପୋର୍ଟ ଏହି ତଥ୍ଯ ପ୍ରକାଶ କରିଛି । ଦେଶରେ ମୁଣ୍ଡପିଛା ଆୟ ଗତ ମାର୍ଚ୍ଚ ତୁଳନାରେ ଦଶମିକ ୩ ପ୍ରତିଶତ କମିଛି । ଆଉ ଏଥିପାଇଁ ଦାୟୀ ମହଙ୍ଗା ବଜାର ଓ ବେରୋଜଗାରୀ । ଏପରିକି ମହିଳାଙ୍କ ଆୟ ମଧ୍ୟ ପ୍ରଭାବିତ ହୋଇଛି । କେବଳ ଆରବିଆଇ ନୁହେଁ, ଆୟକର ଓ ଶ୍ରମ ଡାଟାବେସ୍ ତଥ୍ୟ ମଧ୍ୟ ଦେଶର ଅର୍ଥନୀତି ମନ୍ଥର ଗତି ଧରିଥିବା କହିଛି ।

ଆୟକର ତଥ୍ୟ ଅନୁଯାୟୀ ଅବିଭାଜିତ ହିନ୍ଦୁ ପରିବାରର ଆୟ ଗତବର୍ଷଠାରୁ ବାସ୍ତବରେ ଦଶମିକ ୯ ପ୍ରତିଶତ କମି ଚାଲିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଲୋକଙ୍କ ହାତରେ ଟଙ୍କା ନଥିଲେ କିମ୍ବା କମ ବ୍ୟୟ କରିବା ମାନସିକତା ରହିଲେ ତାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଶିଳ୍ପ ଉତ୍ପାଦନ, ଶ୍ରମ ଓ ଜୀବିକା ଉପରେ ସିଧା ସିଧା ପଡ଼ିଥାଏ । ଚଳିତବର୍ଷ ନିର୍ବାଚନ ଥିବାରୁ ଭିତ୍ତିଭୂମି ଉପରେ କେନ୍ଦ୍ର ସରକାର କମ୍ ଖର୍ଚ୍ଚ କରିପାରିଛନ୍ତି । ଏହାସହିତ ଅତି ବର୍ଷା ଯୋଗୁଁ କୃଷି ଉତ୍ପାଦନ ବି ବାଧାପ୍ରାପ୍ତ ହୋଇଛି । ଖାଦ୍ୟ ସାମଗ୍ରୀ ଦର ବି ଉଚ୍ଚା ରହୁଛି । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ସୌଖିନ ପୋଷାକ, ବ୍ରାଣ୍ଡେଡ୍ ସାମଗ୍ରୀ କିଣାରେ ଲୋକେ ଆଗ୍ରହ ଦେଖାଉ ନାହାନ୍ତି । ଏପରି ଲାଗି ରହିଲେ ପ୍ରଥମ ତ୍ରୟମାସରେ ଜିଡିପି ୬ ପ୍ରତିଶତରୁ ସାଢ଼େ ୬ ପ୍ରତିଶତ ଭିତରେ ସୀମିତ ରହିପାରେ ବୋଲି କହିଛନ୍ତି ଅର୍ଥନୀତି ସମୀକ୍ଷକ ଦିଲ୍ଲୀପ ବିଷୋୟୀ ।

ଦେଶରେ ଲୋକଙ୍କ ମୁଣ୍ଡପିଛା ଆୟ କମି ଚାଲିଛି । ଦେଶର ସମସ୍ତ ବଡ଼ ବଡ଼ ରେଟିଂ ସଂସ୍ଥାଙ୍କ ରିପୋର୍ଟ କହୁଛି ଲୋକଙ୍କ ବାସ୍ତବ ଆୟ ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି । ଜିଡିପିର ୭୮ ପ୍ରତିଶତ ଲୋକଙ୍କ ଆୟବ୍ୟୟ ଉପରେ ନିର୍ଭର କରୁଛି । ରୋଜଗାର କମିଲେ ଚାହିଦା କମିବ ଓ ବଜାରରେ କାରବାର ବି ପ୍ରଭାବିତ ହେବ । ବିଶେଷଜ୍ଞ ଆହୁରି ବି କହିଛନ୍ତି ଜାତୀୟ ସର୍ଭେକ୍ଷଣ ରିପୋର୍ଟ ଅନୁଯାୟୀ ଦେଶରେ ମୁଣ୍ଡପିଛା ଆୟ ମାତ୍ର ୫ ପ୍ରତିଶତ ବଢିଛି । ଧନୀ ଅଧିକ ଧନୀ ହେଉଛନ୍ତି ଓ ମଧ୍ୟବିତ୍ତ ଆର୍ଥିକ ଅନାଟନ ଭିତରକୁ ଠେଲି ହେଉଛନ୍ତି । ନୋମିନାଲ ଅଭିବୃଦ୍ଧି ଓ ରିୟଲ ଅଭିବୃଦ୍ଧି ଭିତରେ ଅନ୍ତର ବଢି ଚାଲିଛି । ଯାହା ଆଦୌ ଶୁଭଙ୍କର ନୁହେଁ ।

ଆସନ୍ତାକାଲି କେନ୍ଦ୍ର ଏ ବର୍ଷର ପ୍ରଥମ ତ୍ରୟମାସିକରେ ଅଭିବୃଦ୍ଧିର ଚିତ୍ର ଦେବେ । ଯଦି ପ୍ରଥମ ତ୍ରୟମାସିକରେ ଖାଉଟି ଆସ୍ଥା ହରାଇଲେଣି ଆସନ୍ତା ଦିନରେ କୃଷି ଉତ୍ପାଦନ ଭଲ ନ ହେଲେ ବଜାର ଦର ଆହୁରି ଚଢା ରହିବ । ସେଥିରେ ବି ଖାଉଟି ଆସ୍ଥା ଜିତିବା ଅସମ୍ଭବ ହୋଇଯିବ ।