ମୋହନଙ୍କ ମୁହଁରେ ନବୀନ ସରକାରଙ୍କ ସଫଳତା

1 min read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୁହଁରେ ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା । କିପରି ୨୦୧୫ ରୁ ୨୦୨୧ ଭିତରେ ଦ୍ରୁତ ଗତିରେ ରାଜ୍ୟରେ ଦାରିଦ୍ର୍ଯତା ହ୍ରାସ ପାଇଛି କହିଛନ୍ତି ମୋହନ । ନୀତି ଆୟୋଗଙ୍କ ରିପୋର୍ଟ ଆଧରରେ ଲିଖିତ ଭାବେ ଗୃହରେ ସଫଳତା ବଖାଣିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ବିକାଶର ନୂଆ ବାଟ ଫିଟାଇଥିଲା ବୋଲି ବିଜେଡି ଦାବି କରିଛି । ବିଜେପି କେବଳ ନୀତି ଆୟୋଗ ଦେଇଥିବା ସ୍ୱୀକୃତିର ସମୀକ୍ଷା ନେଇ ମତ ଦେଇଛି ବୋଲି ଦଳ କହିଛି । ତେବେ ଅର୍ଥନୈତିକ ବିଶେଷଜ୍ଞଙ୍କ ମତ ନବୀନ ସରକାରଙ୍କ ସଫଳତାକୁ ନେଇ ରାଜନୀତି କରା ନଯାଉ ।

୧୯୯୯ ମହାବାତ୍ୟାର ଧ୍ୱସ୍ତବିଧ୍ବସ୍ତ ଓଡ଼ିଶାରୁ ବିକାଶର ପ୍ରୟୋଗଶାଳା କରିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକୁ ସବୁ ସମୟରେ ପ୍ରଶଂସା ମିଳିଛି । ଏବେ ବିରୋଧୀ ଆସନରେ ଥାଇ ବି ରାଜ୍ୟର ବିକାଶ ନବୀନଙ୍କ ମୂଳ ଏଜେଣ୍ଡା । ଶାସନରେ ଥିବା ସମୟରେ କିପରି ଭାବେ ଦ୍ରୁତଗତିରେ ଦାରିଦ୍ର୍ୟ ହ୍ରାସ କରିବାରେ ନବୀନ କାମ କରିଥିଲେ, ତାହା ଉପରେ ପୁଣି ଥରେ ମୋହର ମାରିଛି ନୀତି ଆୟୋଗ । ଯାହାର ରିପୋର୍ଟକୁ ଲିଖିତ ଭାବେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ନୀତି ଆୟୋଗଙ୍କ ଦ୍ବାରା ଜୁଲାଇ -୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ୨୦୧୫-୧୬ ରୁ ୨୦୧୯-୨୧ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ୨୯.୩୫ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ଜାତୀୟସ୍ତରରେ ଏହି ବହୁମୁଖୀ ଦାରିଦ୍ର୍ୟ ୧୪.୯୬ ପ୍ରତିଶତ ଅଟେ । ସେହିପରି ୨୦୧୫-୧୬ ରୁ ୨୦୧୯-୨୧ ମଧ୍ୟରେ ରାଜ୍ୟର ୬୨.୬ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ଗତ ପାଞ୍ଚ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ବି ବଢିଥିବା ଉତ୍ତର ଆସିଛି । ୨୦୧୯-୨୦ରେ ଏହା ୨.୮ ପ୍ରତିଶତ ଥିଲା । ତା’ପରେ ୨୦୨୦-୨୧ରେ କୋଭିଡ ଆସି ସବୁ ଠପ କରିଦେଲା । ତେବେ ଅନ୍ଯ ରାଜ୍ଯରେ ଅଭିବୃଦ୍ଧି ହାର ବହୁମାତ୍ରାରେ ହ୍ରାସ ପାଇଥିଲା ବେଳେ ଓଡ଼ିଶାରେ ସେ ସମୟରେ ଅଭିବୃଦ୍ଧି ମାତ୍ର ୨.୧ ପ୍ରତିଶତ କମିଥିଲା । ଦୂରଦୃଷ୍ଟି ରଖି ଓଡ଼ିଶାରେ ଖଣି କାରବାର ଜାରି ରଖିଥିଲେ ନବୀନ ପଟ୍ଟନାୟକ । ଯାହା ଅଭିବୃଦ୍ଧି ହାରରେ ସେତେଟା ବ୍ରେକ ମାରିପାରି ନଥିଲା । ଯେଉଁଥିପାଇଁ ୨୦୨୧-୨୨ରେ ପୁଣି ଦ୍ରୁତଗତି ଦେଇ ୧୦.୬ ପ୍ରତିଶତରେ ପହଞ୍ଚିଥିଲା ଅଭିବୃଦ୍ଧି ହାର । ୨୦୨୨-୨୩ରେ କୋଭିଡର ଆଉ ଏକ ଲହର ଆସିଥିଲା । ହେଲେ ଅଭିବୃଦ୍ଧି ୭.୯ ପ୍ରତିଶତ ରହିଥିଲା । ୨୦୨୩-୨୪ରେ ଏହା ୮.୫ ପ୍ରତିଶତରୁ ଅଧିକ ରହିଥିବା ଆକଳନ କରାଯାଇଛି । ହେଲେ ମୋହନ ସରକାର କେବଳ ନବୀନ ସରକାରଙ୍କ ଯୋଜନାର ନାମ ପରିବର୍ତ୍ତନ କରି ଚାଲିଛି, ଯାହା ବିକାଶ ପାଇଁ ବିପଦ ବୋଲି ବିଜେଡି କହିଛି ।

ନୀତି ଆୟୋଗ ରିପୋର୍ଟରେ ନବୀନ ସରକାର ସମୟର ସଫଳତାକୁ ସହଜରେ ସରକାରୀ ଦଳ ହଜମ କରିପାରୁନାହିଁ । ୨୦୧୫-୧୬ରୁ ୮ କେନ୍ଦ୍ରୀୟ ଯୋଜନା କଟା ଗଲାଣି । ହେଲେ ନବୀନ କିପରି ଅଭିବୃଦ୍ଧି କ୍ଷେତ୍ରରେ କାମ କରୁଥିଲେ, ତାହା ବିଜେପିକୁ ଚକିତ କରିଛି । ରାଜନୈତିକ ବୟାନବାଜି କରିବା ପୂର୍ବରୁ ନୀତି ଆୟୋଗ ରିପୋର୍ଟକୁ ସମୀକ୍ଷା କରିବାକୁ ବିଜେଡି ନେତା କହିଛନ୍ତି । ସେପଟେ ନବୀନ ସରକାରଙ୍କ ସଫଳତାକୁ ସମସ୍ତ ରାଜନୈତିକ ଦଳ ମାନିବାକୁ ପଡିବ ବୋଲି ଅର୍ଥନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ଚଳିତ ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ରାଜ୍ୟର ମୁଣ୍ଡପିଛା ଆୟ ୨୦୨୩-୨୪ ଅଗ୍ରୀମ ଆକଳନ ଅନୁସାରେ ୧ ଲକ୍ଷ ୬୧ ହଜାର ୪୩୭ ଟଙ୍କା ରହିଛି । ୨୦୨୩-୨୪ରେ ଭାରତ ଓ ଓଡିଶାର ମୁଣ୍ଡପିଛା ଆୟର ବ୍ୟବଧାନ ଶତକଡା ୧୨ ପ୍ରତିଶତ ଅଟେ । ସେହିପରି ୨୦୨୨-୨୩ ସଂଶୋଧନ ଆକଳନ ଅନୁଯାୟୀ ମୁଣ୍ଡପିଛା ଆୟ ଦୃଷ୍ଟିରୁ ୧୭ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ଏକାଦଶ । ଗତ ୨୪ ବର୍ଷର ନବୀନ ସରକାରଙ୍କ ସଫଳତାର ଏହା ବଡ଼ ଉଦାହରଣ ବୋଲି ଆଲୋଚନା ହେଉଛି ।