କାମରେ ଆସୁନି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ସେବା
1 min readନନ୍ଦିଘୋଷ ବ୍ୟୁରୋ: ଗାଁ ଗହଳିରେ ସାଧାରଣ ଲୋକେ କିପରି ହାତପାହାନ୍ତାରେ ସାସ୍ଥ୍ୟ ସେବା ସୁବିଧାରେ ପାଇପାରିବେ ସେଥିପାଇଁ ସରକାର ପଞ୍ଚାୟତ ସ୍ତରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମରେ ସ୍ବାସ୍ଥ୍ୟ କେନ୍ଦ୍ର ଗଠନ କରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ପାଇଁ ଅର୍ଥ ବି ମଞ୍ଜୁର ହୋଇଛି । ହେଲେ କୋଠା ନିର୍ମାଣରେ ଉଦାସୀନତା ଯୋଗୁଁ କେଉଁଠି ଭଡା ଘରେ ଚିକିତ୍ସା ଚାଲିଛି ତ ପୁଣି କେଉଁଠି ଗାଁର କୋଠ ଘରେ ଚାଲିଛି ସେବା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତୁରନ୍ତ ନିଜସ୍ଵ କୋଠା ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
କାମରେ ଆସୁନି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ସେବା । ଗାଁ ଗହଳିରେ ସାଧାରଣ ଲୋକେ ଯେପରି ହାତ ପାହାନ୍ତରେ ସ୍ଵାସ୍ଥ୍ଯ ସେବା ପାଇପାରିବେ ସେଥିପାଇଁ ସରକାର ପଞ୍ଚାୟତ ସ୍ତରରେ ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ସେବା ଗଠନ କରିଛନ୍ତି । ହେଲେ ଏହି ସ୍ଵାସ୍ଥ୍ଯ ଅନୁଷ୍ଠାନ ନିମନ୍ତେ ନିଜସ୍ଵ କୋଠା ନଥିବାରୁ ଉପଯୁକ୍ତ ସ୍ଵାସ୍ଥ୍ଯ ସେବାରୁ ବଞ୍ଚିତ ହେଉଛନ୍ତି ଲୋକ । କେଉଁଠି ଭଡା ଘରେ ସ୍ଵାସ୍ଥ୍ଯ ସେବା ଚାଲିଛି ତ ପୁଣି କେଉଁଠି ଗାଁର କୋଠ ଘରେ ସେବା ଚାଲିଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଆସିକାରେ । ଆସିକା ବ୍ଲକର ୨୭ଟି ପଞ୍ଚାୟତରେ ୨୩ ଟି ସ୍ଵାସ୍ଥ୍ଯ ଆରୋଗ୍ଯ କେନ୍ଦ୍ର ରହିଛି ।
ଧରାକୋଟ ବ୍ଳକରେ ୧୪ ଟି ସାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରହିଛି । ଏହି ସବୁ ସ୍ଵାସ୍ଥ୍ଯ କେନ୍ଦ୍ରରେ ଗତ ଦୁଇ ବର୍ଷ ମଧ୍ଯରେ ଜଣେ ଲେଖାଏଁ ନର୍ସିଂ ଅଫିସରଙ୍କୁ ସ୍ଵତନ୍ତ୍ର ଟ୍ରେନିଂ ଦିଆଯାଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ହେଲେ ସ୍ଵାସ୍ଥ୍ଯ କେନ୍ଦ୍ର ଗୁଡିକର ନିଜସ୍ଵ କୋଠା ନଥିବାରୁ ରୋଗୀ ସେବା ଠିକରେ ହୋଇପାରୁନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଆସିକା ବ୍ଲକର ୧୪ଟି ସ୍ଵାସ୍ଥ୍ଯ କେନ୍ଦ୍ରର ନିଜସ୍ୱ କୋଠା ଥିବାବେଳେ ୯ ଟି କେନ୍ଦ୍ରର ନିଜସ୍ୱ କୋଠା ନାହିଁ। କେଉଁଠି ରୋଗୀସେବା ଗାଁ କୋଠ ଘରେ ଚାଲିଛି ତ ପୁଣି କେତେକ ସ୍ଥାନରେ କୋଠା ନଥିବାରୁ ରୋଗୀ ସେବା ପାଇଁ ମିଳିଥିବା ଷ୍ଟ୍ରେଚର, ବେଡ଼, ଲାବ୍ରୋଟାରି ସରଞ୍ଜାମ ଫଚାୟତ ଅଫିସରେ ରଖାଯାଇ ସ୍ଵାସ୍ଥ୍ୟ କେନ୍ଦ୍ରର ତାଲା ଲଗାଯାଇଛି । ଆସିକା ବ୍ଲକ ପ୍ରଶାସନ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ୩ କୋଟି ଅଧିକ ଟଙ୍କା ଅନୁଦାନରେ ବାବନପୁର, ଠେଙ୍ଗାପଲ୍ଲୀ, ଅlଲିପୁର, ବଡଖୋଲି, ନିମିନା ସାହାସପୁର ଭଳି ୯ଟି ସ୍ଥାନରେ କୋଠା ନିର୍ମାଣ ପାଇଁ ୩୪ ଲକ୍ଷ ଲେଖାଏଁ ଅନୁଦାନ ଆସିଥିଲା ।
ଗତ ବର୍ଷ ମାର୍ଚ୍ଚରେ ଟେଣ୍ଡର ଓ ଏପ୍ରିଲ ମାସରେ କାର୍ଯ୍ୟାଦେଶ ଦିଆଯାଇଥିଲା । ୨୦ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ଏଯାଏଁ ଗୋଟିଏ ମଧ୍ୟ କୋଠା ନିର୍ମାଣ ଶେଷ ହୋଇ ନାହିଁ । କେଉଁଠି ନିର୍ମାଣ ଅଧପନ୍ତରିଆ ରହିଥିବା ବେଳେ ଅନ୍ୟ କେଉଁଠି ପିଲର ତିଆରି ଚାଲିଛି। କେତେକ ସ୍ଥାନରେ ନିର୍ମାଣ ହୋଇଥିବା କୋଠା ଚାରିପଟେ ଗଛପତ୍ର ମାଡିଗଲାଣି ହେଲେ ତାହା ସ୍ଵାସ୍ଥ୍ଯ ବିଭାଗକୁ ହସ୍ତାନ୍ତର ହୋଇନାହିଁ । ଏନେଇ ଆମେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, ଯଥାଶୀଘ୍ର ସମସ୍ତ କୋଠାର ନିର୍ମାଣ କାର୍ଯ୍ୟ ଶେଷ କରି ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ।