ସମ୍ବଲପୁରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ସମ୍ବଲପୁରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସମ୍ବଲପୁର ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ନୂଆଁଖାଇ ଲଗ୍ନ ସ୍ଥିର କରାଯାଇଛି । ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ଲଗ୍ନର ସମୟ ଧାର୍ଯ୍ୟ କରାଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ନୂଆଁଖାଇ ଲଗ୍ନ ବାହାର କରାଯାଇଥାଏ । ଚଳିତବର୍ଷ ପଣ୍ଡିତ ମହାସଭା ବସି ପ୍ରଥମେ ବିଷ୍ଣୁ ଶହସ୍ରନାମ ପାଠ କରାଯିବା ପରେ, ଲଗ୍ନ ନେଇ ଆଲୋଚନା କରାଯାଇଥିଲା ।

ଆସନ୍ତା ୮ ତାରିଖ ପଞ୍ଚମୀତିଥି ଦିନ ୯ଟା ୧୨ରୁ ୯ଟା ୨୭ ମଧ୍ଯରେ ମାଆ ସମଲେଶ୍ବରୀଙ୍କ  ପାଖରେ ନବାନ୍ବ ଲାଗି କରାଯିବ । ଏହା ପରେ ସମଗ୍ର ପଶ୍ଚିମ ଓଡିଶାର ଘରେ ଘରେ ନୂଆ ଖାଇବେ ଲୋକେ । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ନୂଆଁଖାଇ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଘର ବାହାରେ ଥିବା ଲୋକମାନେ ଘରମୁହାଁ ହେବା ସହ ପରିବାର ସହ ମିଶି ନବାନ୍ନ ଭକ୍ଷଣ କରିବା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି ।