ପ୍ରାର୍ଥୀ ତାଲିକାକୁ ନେଇ ଜମ୍ମୁ ଓ କାଶ୍ମୀର ବିଜେପିରେ ବିଦ୍ରୋହ, କର୍ମୀ ଉଠାଇଲେ ପ୍ରଶ୍ନ

ଜମ୍ମୁ: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତିନିଟି ପର୍ଯ୍ୟାୟରେ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ଆସନ୍ତାକାଲି ଥିବା ବେଳେ ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ଦିନ ସାରା ନାଟକ ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ବିଦ୍ରୋହର ସୂତ୍ରପାତ ହୋଇଛି । ଦଳୀୟ କର୍ମୀ ପ୍ରାର୍ଥୀ ତାଲିକାକୁ ଜୋରଦାର କରିଛନ୍ତି ବିରୋଧ । କେଉଁ ନିୟମ ଆଧାରରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଗଲା ବୋଲି କର୍ମୀ ପ୍ରଶ୍ନ ଉଠାଇଛନ୍ତି ।

ତେବେ ଆଜି ସାରାଦିନ ଜମ୍ମୁ ଓ କାଶ୍ମୀର ବିଜେପି ପାଇଁ କୌଣସି ନାଟକ ଠାରୁ କମ ନଥିଲା । ଦଳ ପକ୍ଷରୁ ପ୍ରଥମେ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଗଲା । ଏହାର କିଛି ସମୟ ପରେ ଏହାକୁ ଦଳ ପ୍ରତ୍ୟାହର କରିନେଲା । ଏପରିକି ସୋଶାଲ ମିଡିଆରୁ ମଧ୍ୟ ପୋଷ୍ଟ ହଟାଇ ଦିଆଗଲା । ଏହାପରେ ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।

ପ୍ରଥମେ ଘୋଷଣା ହୋଇଥିବା ତାଲିକାରେ ୧୪ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେହିପରି ଜଣେ ମାତ୍ର ମହିଳାଙ୍କୁ ଅର୍ଥାତ କିସ୍ତୱାରରୁ ସାଗୁନ ପରିହାରଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଜାମ୍ମୁ ଓ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା, ପୂର୍ବତନ ଉପମୁଖ୍ଯମନ୍ତ୍ରୀ ନିର୍ମଳ ସିଂ ଓ କବିନ୍ଦ୍ର ଗୁପ୍ତାଙ୍କ ନାଁ ତାଲିକାରୁ ବାଦ ପଡ଼ିଥିଲା ।

ପ୍ରଥମ ପର୍ଯ୍ୟାୟ ଲାଗି ୧୫, ଦ୍ବିତୀୟ ପର୍ଯ୍ୟାୟ ଲାଗି ୧୦ ଓ ତୃତୀୟ ପର୍ଯ୍ୟାୟ ଲାଗି ୧୯ ଜଣଙ୍କ ନାଁ ଘୋଷଣା କରିଥିଲା ବିଜେପି । ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ନାଁ ଏଥିରେ ରହିଥିଲା ସେମାନେ ହେଲେ ପାମ୍ପୋରରୁ ପ୍ରାର୍ଥୀ ହୋଇଥିବା ଇଞ୍ଜିନିୟର ସୟଦ ସୌକତ ଗାୟୁର ଆନ୍ଦରାବି ଓ ଅନନ୍ତନାଗରୁ ଲଢୁଥିବା ମହମ୍ମଦ ରଫିକ ୱାନି ।

ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ହେବ ଜାମ୍ମୁ ଓ କାଶ୍ମୀରରେ ମତଦାନ । ୩୭୦ ଅନୁଚ୍ଛେଦ ହଟିବା ପରେ ଜମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯାହା ଉପରେ ସାରା ଦେଶର ନଜର ରହିଛି ।