ଭଣ୍ଡେଇ ଦେଲେ ସରକାର: ସୁଭଦ୍ରା ଯୋଜନାରେ ୫୦ ଲକ୍ଷ ମହିଳା ବି ସାମିଲ ହେବା ଅସମ୍ଭବ

ଭୁବନେଶ୍ବର: ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନକୁ ଦେଖିଲେ ଲାଗୁଛି ରାଜ୍ୟର ବିଜେପି ସରକାର ମହିଳାଙ୍କୁ ଭଣ୍ଡେଇବାକୁ ଯେମିତି ପଣ କରିଛନ୍ତି । କାରଣ, ସୁଭଦ୍ରା ଯୋଜନାରେ ଥିବା ଗାଇଡଲାଇନକୁ ତର୍ଜମା କଲେ ଜଣାପଡୁଛି କୋଟିଏ କ’ଣ ୫୦ ଲକ୍ଷ ମହିଳା ବି ଏଥିରେ ସାମିଲ ହୋଇପାରିବେ ନାହିଁ । କାରଣ ସରକାର ରଖିଥିବା କ୍ରାଇଟେରିଆ ରାଜ୍ୟର ଅଧାରୁ ଅଧିକ ମହିଳାଙ୍କୁ ଏଥିରୁ ବାଦ ପକାଇ ଦେବ ।

ସରକାରକୁ ଆସିବା ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ଯୋଜନା କଥା ଘୋଷଣା କରିଥିଲା । ବର୍ଷକୁ କୋଟିଏ ମହିଳାଙ୍କୁ ୫୦ ହଜାର ଟଙ୍କା ସହୟତା ଘୋଷଣା କରିଥିଲା ବିଜେପି । ଏବେ ଗାଇଡଲାଇନ କହୁଛି ବର୍ଷକୁ ୫୦ ହଜାର ନୁହେଁ, ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ । ସାଢେ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ଓଡିଶାରେ ପରିବାର ସଂଖ୍ୟା ପ୍ରାୟ କୋଟିଏ । ଅର୍ଥାତ ରାଜ୍ୟ ସରକାର କୋଟିଏ ମହିଳାଙ୍କୁ ସୁଭଦ୍ରା ସହାୟତା ଦେବାକୁ ହେଲେ ପ୍ରତି ପରିବାରରୁ ଜଣେ ଲେଖାଏଁ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ପଡିବ । କିନ୍ତୁ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଦେଖିଲେ ୫୦ ଲକ୍ଷ ମହିଳା ବି ଏହି ଯୋଜନାର ସୁଫଳ ପାଇପାରିବେ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଗାଇଡଲାଇନ କହୁଛି ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ସହାୟତା ମିଳିବ । ଅର୍ଥାତ ୬୦ ବର୍ଷରୁ ଊର୍ଦ୍ଧ୍ବ ମହିଳା ଏଥିରୁ ବାଦ ପଡିବେ । ସେହିଭଳି ୨୧ରୁ ଊର୍ଦ୍ଧ୍ବ କୌଣସି ମହିଳା ଯଦି ଭିନ୍ନକ୍ଷମ କିମ୍ବା ଛାତ୍ରବୃତ୍ତି ପାଉଥିବେ ସେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ । ଏମିତିରେ ସୁଭଦ୍ରା ଯୋଜନାରୁ ଯୋଗ୍ୟ ମଧ୍ୟ ବାଦ ପଡିଯିବେ । ସେହିପରି ଗ୍ରାମାଞ୍ଚଳରେ ପରିବାରର ଯଦି ୫ ଏକରରୁ ଅଧିକ ଜଳସେଚିତ ଜମି ଥିବେ ତେବେ ସେ ପରିବାରର ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହେବେନି । ଗ୍ରାମାଞ୍ଚଳରେ ଚାଷ କରୁଥିବା ପରିବାରର ଟ୍ରାକ୍ଟର କି ମିନଟ୍ରକ ଥିଲେ ମଧ୍ୟ ସେ ସୁଭଦ୍ରା ଯୋଜନାରୁ ବାଦ ପଡିବେ । ଏହି ଯୋଜନାରେ ସାମିଲ ହେବାକୁ ଆଉ ଏକ ମାପଦଣ୍ଡ ହେଉଛି ସମ୍ପୃକ୍ତ ମହିଳାଙ୍କ ପରିବାରିକ ଆୟ ବାର୍ଷିକ ଅଢେଇ ଲକ୍ଷ ହୋଇଥିଲେ ବି ସେ ହିତାଧିକାରୀ ହୋଇପାରିବେ ନାହିଁ । ଗାଇଡଲାଇନରେ ଥିବା ଏଭଳି ବ୍ୟବସ୍ଥା ଦ୍ବାରା କୋଟିଏ କ’ଣ ୫୦ ଲକ୍ଷ ମହିଳା ବି ଯୋଜନାର ଲାଭ ପାଇପାରିବେ ନାହିଁ । ତେଣୁ ସୁଭଦ୍ରା ଯୋଜନା ନାଁରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ଭଣ୍ଡେଇଥିବା ଅଭିଯୋଗ କରିଛନ୍ତି ଗ୍ରାମୀଣ ମହିଳା ।