ପାକିସ୍ତାନରେ ନରସଂହାର, ୨୩ ଜଣଙ୍କୁ ଆଖିବୁଜା ଗୁଳିମାଡ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ମୁସାଖେଲ ଜିଲ୍ଲାରେ ନରସଂହାର  । ଟ୍ରକ ଓ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଆଖିବୁଜା ଗୁଳିମାଡ କରିଛନ୍ତି ବନ୍ଧୁକଧାରୀ ଆତତାୟୀ  । ଏହି ଆକ୍ରମଣରେ ଅତି କମରେ ୨୩ ଜଣ ପ୍ରାଣ ହରାଇଛନ୍ତି  । ପାକିସ୍ତାନ ସରକାରଙ୍କ ପ୍ରବକ୍ତା କହିଛନ୍ତି ଯେ ପଞ୍ଜାବର ଲୋକଙ୍କୁ ଟାର୍ଗେଟ କରାଯାଇଛି  ।

ଏହିଭଳି ଆକ୍ରମଣ ୪ ମାସ ପୂର୍ବରୁ ହୋଇଥିଲା  । ଗତ ଏପ୍ରିଲରେ ନୋସକି ପାଖରେ ବସରୁ ୯ ଜଣଙ୍କୁ ଓହ୍ଲାଇ ଦିଆଯାଇ ଗୁଳିକରି ହତ୍ୟା କରାଯାଇଥିଲା । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ମୁସାଖେଲ ଜିଲ୍ଲାର ରାରାସିମ ଅଞ୍ଚଳରେ ଏକ ରାଜପଥକୁ ଅବରୋଧ କରି ୨୩ ଜଣ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇ ନରସଂହାର କରିଥିଲେ  । ଉକ୍ତ ସଙ୍ଗଠନର ନାମ ପ୍ରକାଶ କରିନାହାନ୍ତି ବରିଷ୍ଠ ଅଧିକାରୀ  ।

ବନ୍ଧୁକଧାରୀ ମାନେ କେବଳ ନରସଂହାର କରିନଥିଲେ ୧୦ଟି ଗାଡି ଜାଳି ଦେଇଥିଲେ  । ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗାତି ଘଟଣାର କଡା ନିନ୍ଦା କରିଛନ୍ତି  । ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ  ।