ମାଲାୟାଲମ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ରାଜ୍ଯ ସରକାର ଗଠନ କଲେ SIT

1 min read

ଥିରୁଅନନ୍ତପୁରମ: କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳଙ୍କ। ମାଲାୟାଲମ ଅଭିନେତ୍ରୀମାନଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ଆସିବା ପରେ ରାଜ୍ଯ ସରକାର ଗଠନ କରିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ଟିମ- ଏସଆଇଟି। କେରଳ ମୁଖ୍ଯମନ୍ତ୍ରୀ ପିନରୟୀ ବିଜୟନ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିବା ପରେ ଏସଆଇଟି ଗଠନ ଲାଗି ନିଷ୍ପତ୍ତି ନିଆଯାଇଥିଲା।

ସ୍ପୁର୍ଜନ କୁମାରଙ୍କ ନେତୃତ୍ବରେ ଏସଆଇଟି ଗଠନ ହେବ। ଏହି ଟିମରେ ଡିଆଇଜି ଏସ. ଅଜିତା ବେଗମ, ଏସପି କ୍ରାଇମବ୍ରାଞ୍ଚ ମେରିନ ଯୋଶେଫ ପ୍ରମୁଖ ସଦସ୍ଯ ରହିଛନ୍ତି। ଜଣେ ବଙ୍ଗାଳୀ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଗତ ଅଗଷ୍ଟ ୨୫ରେ କେରଳ ଚଳଚ୍ଚିତ୍ର ଏକାଡେମୀ ଅଧ୍ଯକ୍ଷ ପଦରୁ ଇସ୍ତଫା ଦେଇଥିଲେ ରଞ୍ଜିତ। ତେବେ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ରଞ୍ଜିତ। ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିଲେ ସଂସ୍କୃତି ମନ୍ତ୍ରୀ ସାଜି ଚେରିୟନ।

ସେହିପରି ଜଣେ ଅଭିନେତ୍ରୀ ଅଭିଯୋଗ କରିବା ପରେ ସେହିଦିନ ମାଲାୟାଲମ ମୁଭି ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ଅଭିନେତା ସିଦ୍ଦିକ। ସେ ଇସ୍ତଫା ଦେବା ସହ ନିଜ ଇସ୍ତଫା ପତ୍ରକୁ ସଂଗଠନର ସଭାପତି ମୋହନଲାଲଙ୍କ ନିକଟକୁ ପଠାଇଥିଲେ। ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କୁ ଶୋଷଣ କରିବା ନେଇ ଜଷ୍ଟିସ କେ. ହେମା କମିଟି ରିପୋର୍ଟ ଆସିବା ପରେ ଇସ୍ତଫାର ସୁଅ ଛୁଟୁଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ କ୍ରିମିନାଲ ଗ୍ଯାଙ୍ଗ କାର୍ଯ୍ୟ କରୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ବୋଧହୁଏ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଇତିହାସରେ ପ୍ରଥମ ଥର ଲାଗି ଏହି ଧରଣର କମିଟି ୨୩୩ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। ୨୦୧୭ରେ ଅଭିନେତା ଦିଲୀପଙ୍କୁ ନେଇ ଆସିଥିବା ଅଭିଯୋଗର ତଦନ୍ତ ଲାଗି ରାଜ୍ଯ ସରକାର ଗଠନ କରିଥିଲେ ଏକ କମିଟି। ଗତ ଅଗଷ୍ଟ ୨୨ ତାରିଖରେ ହେମା କମିଟି ରିପୋର୍ଟ ଦାଖଲ କରିବା ଲାଗି କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।