ବିନା ଭିସାରେ ବ୍ରାଜିଲରେ ପ୍ରବେଶ ଉଦ୍ୟମ କରି ଫସିଛନ୍ତି ୩ ଦେଶର ନାଗରିକ

ସାଓ ପାଓଲୋ: ମହଙ୍ଗା ପଡିଲା ବିନା ଭିସାରେ ବ୍ରାଜିଲରେ ପ୍ରବେଶ ଉଦ୍ୟମ । କିଛି ସପ୍ତାହ ଧରି ବ୍ରାଜିଲର ସାଓ ପାଓଲୋ ବିମାନ ବନ୍ଦରରେ ଫସିଛନ୍ତି ଭାରତ, ନେପାଳ ଓ ଭିଏତନାମର ୬୬୬ ନାଗରିକ । ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମ ସଂସ୍ଥାନ ଆଶାରେ ଏହି ଉଦ୍ୟମ କରିଥିବା ସୂଚନା ମିଳିଛି । ସାଓ ପାଓଲୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରବେଶ କରିବା ଲାଗି ଅପେକ୍ଷାରତ ନାଗରିକମାନେ ଅତି ଦୟନୀୟ ସ୍ଥିତିରେ ଜୀବନ ସହ ସଂଘର୍ଷ କରୁଥିବା ଜଣାଯାଇଛି ।

ବିନା ଖାଦ୍ଯ, ପାନୀୟ ଜଳରେ ସେମାନେ ମୃତ୍ଯୁ ସହ ସଂଘର୍ଷ କରୁଛନ୍ତି । ସେମାନଙ୍କ ମଧ୍ଯରେ ରହିଥିବା କିଛି ଶିଶୁ ମଧ୍ଯ ଦୟନୀୟ ଅବସ୍ଥାରେ ରହିଛନ୍ତି । ଅଧିକାଂଶ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ପରିଲକ୍ଷିତ ହେଉଥିଲେ ବି କୌଣସି ବିକଳ୍ପ ବ୍ଯବସ୍ଥା ନାହିଁ । ଏପରିକି ଶୀତରୁ ରକ୍ଷା ପାଇବା ଲାଗି ସେମାନଙ୍କ ନିକଟରେ ଚଦର ଖଣ୍ଡିଏ ବି ନାହିଁ । ସେମାନଙ୍କୁ ତଳେ ଶୋଇବାକୁ ପଡୁଛି । ସେମାନଙ୍କୁ ନିଜ ନିଜ ଦେଶକୁ ନ ଫେରାଇ ମାନବିକତା ଦୃଷ୍ଟିରୁ ଆପଣାଇବା ଲାଗି ବ୍ରାଜିଲସ୍ଥିତ ପବ୍ଲିକ ଡିଫେଣ୍ଡର୍ସ ଅଫିସ ଅନୁରୋଧ କରିଥିଲେ ବି କିଛି ଫଳ ହୋଇନାହିଁ ।

ଏହି ଲୋକଙ୍କୁ ଶରଣାର୍ଥୀ ଭାବେ ଗ୍ରହଣ କରିବା ଲାଗି ବ୍ରାଜିଲ ନିକଟରେ ଅନୁରୋଧ କରାଯାଇଥିଲେ ବି ଫଳ କିଛି ମିଳୁନାହିଁ । ସାଓ ପାଓଲୋ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେମାନେ ଆମେରିକା ଓ କାନାଡାର ବିଭିନ୍ନ ଗନ୍ତବ୍ଯସ୍ଥଳକୁ ଯିବା କଥା । ମାତ୍ର ଭିସା ଅଭାବରୁ ସେମାନଙ୍କୁ ବିମାନବନ୍ଦରରେ ରହିବାକୁ ପଡୁଛି ।