ପୁଣି ରକ୍ତମୁଖା ଇସ୍ରାଏଲ ଓ ହେଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ଅଶାନ୍ତ ମଧ୍ଯପ୍ରାଚ୍ଯରେ ପୁଣି ଯୁଦ୍ଧର ଘନଘଟା। ରକ୍ତମୁଖା ଇସ୍ରାଏଲ ଓ ହେଜବୁଲ୍ଲା। ଲେବାନନର ସନ୍ଦିଗ୍ଧ ଟେରର ଟାର୍ଗେଟ ଉପରେ ଇସ୍ରାଏଲର ୧୦୦ରୁ ଅଧିକ ଫାଇଟର ଜେଟ ହମଲା। ଜବାବରେ ଇସ୍ରାଏଲର ସ୍ପେସାଲ ମିଲିଟାରୀ ଟାର୍ଗେଟ ଉପରେ ୩ଶହରୁ ଅଧିକ  କାତ୍ଯୁସା ରକେଟ ଓ ମାନବ ବିହୀନ ଯାନ ମାଡ କରିଛି ହେଜବୁଲ୍ଲା। ଏପରିକି ଇସ୍ରାଏଲର ଆଇରନ ଡୋମ ପ୍ଲାଟଫର୍ମକୁ ବି ଟାର୍ଗେଟ କରିଛି ସଂଗଠନ। ମିଲିଟାରୀ କମାଣ୍ଡର ଫୁଆଦ ଶୁକରର ହତ୍ଯାର ଜବାବରେ ଏହି ଆକ୍ରମଣ କରାଗଲା ବୋଲି କହିଛି ହେଜବୁଲ୍ଲା। ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ୪୦ ଲଞ୍ଚ ଏରିଆ ଧ୍ବଂସ ହୋଇଛି। ଇସ୍ରାଏଲରେ ୪୮ ଘଣ୍ଟିଆ ଏମର୍ଜେନସି ଜାରି କରିବା ସହ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ। ତେଣେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ। ଲେବାନନରେ ବି ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନାଜିବ ମିକାତି। ମଧ୍ଯପ୍ରାଚ୍ଯ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ଏବେ ଆସନ୍ତୁ ନଜର ପକାଇବା କାତ୍ଯୁସା ରକେଟ ଉପରେ। ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ ସୋଭିଏତ ବାହିନୀ ଦ୍ବାରା ଏହି ରକେଟ ବ୍ଯବହୃତ ହେଉଥିଲା। ବର୍ତ୍ତମାନ ଏହି ରକେଟ ସାଜିଛି ହେଜବୁଲ୍ଲାର ମୁଖ୍ଯ ଆୟୁଧ। ଯୁଦ୍ଧ କାଳରେ ସୋଭିଏତ ବାହିନୀର ଏକ ଜନପ୍ରିୟ ଗୀତରୁ ଏହି ଶବ୍ଦର ଉଦ୍ଭବ ହୋଇଥିଲା। ୧୯୪୧ରେ ପ୍ରଥମ ଥର ଲାଗି ପ୍ରୟୋଗ ହୋଇଥିଲା। ଏହା ଶସ୍ତା ଏବଂ ସର୍ବାଧିକ ୮୦ କିଲୋମିଟର ଦୂରକୁ ହିଟ୍ କରିଥାଏ।

ଏବେ ଆସନ୍ତୁ ନଜର ପକାଇବା କାହିଁକି ହେଜବୁଲ୍ଲା ଉପରେ ଆକ୍ରମଣ କଲା ଇସ୍ରାଏଲ। ଗତ ମାସରେ ବିବାଦୀୟ ଗୋଲାନ ହାଇଟସ୍ ଉପରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିଲେ ୧୨ ଯୁବକ। ଏହାର ଜବାବରେ ଲେବାନନ ବେରୁଟରେ ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିଲେ ହେଜବୁଲ୍ଲା କମାଣ୍ଡର ଫୁଆଦ ଶୁକର।  ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ସମଗ୍ର ମଧ୍ଯପ୍ରାଚ୍ଯରେ ଘୋଟିଚାଲିଛି ଯୁଦ୍ଧର କଳାବାଦଲ। ସେପଟେ ୟେମେନ ଉପକୂଳରେ ଲୋହିତ ସାଗରରେ ଏକ ତୈଳ ଟ୍ଯାଙ୍କର ଉପରେ ହୌଥି ଆତଙ୍କୀଙ୍କ ଆକ୍ରମଣକୁ ନେଇ ଉତକ୍ଷିପ୍ତ ହୋଇଛି ଆମେରିକା। ଇସ୍ରାଏଲ ଉପରେ ହେଜବୁଲ୍ଲାର ଆକ୍ରମଣକୁ ପ୍ରଶଂସା କରିଛି ହୌଥି।

ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ଯରେ ବାରମ୍ବାର ସଂଘର୍ଷ ମଧ୍ଯପ୍ରାଚ୍ଯରେ ଏକ ଦୀର୍ଘସ୍ଥାୟୀ ଯୁଦ୍ଧର ସମୀକରଣ କରୁଛି ପ୍ରସ୍ତୁତ। ଗାଜାରେ ଇସ୍ରାଏଲ ହମଲାରେ ଗଲାଣି ୪୦ ହଜାର ଲୋକଙ୍କ ଜୀବନ। ହାତବାନ୍ଧି ବସିଛନ୍ତି ଜାତିସଂଘ ଓ ଅନ୍ଯାନ୍ଯ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା।