ଭରା ନାଳ ପାଣି ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ

ଢେଙ୍କାନାଳ : ଭରା ନାଳ ପାଣି ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ରଛାତ୍ରୀ। ଓଡ଼ପଡ଼ା କାଲିକା ପ୍ରସାଦ ବନ୍ଦ ସାହିର ପିଲା ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ନାଳ ଉପରେ କୌଣସି ବ୍ରିଜ ନଥିବାରୁ ବର୍ଷା ଦିନେ ଯିବା ଆସିବାରେ ସମସ୍ଯା ହେଉଛି। ବର୍ଷା ୪ ମାସ ଏମିତି ଅବସ୍ଥା। ଅଧା ଓଦା ହୋଇ ସ୍କୁଲରେ ପହଞ୍ଚନ୍ତି ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ। ତୁରନ୍ତ ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦୁଇଟି ବ୍ଲକ ତଥା ସଦର ଓ ଓଡ଼ପଡ଼ା ବ୍ଲକ ମଧ୍ୟରେ ଯିବା ଆସିବା ପାଇଁ ବାଧକ ସାଜିଛି ଏହି ନାଳ। ବର୍ଷା ହେଲେ ନାଳ ଫୁଲିବା ସହିତ ଆଣ୍ଠୁଏ ଉଚ୍ଚର ପାଣି ଚାଲେ। ଫଳରେ ଟେଣୁଆ, ଭୁବନପୂର୍, କଲାଙ୍ଗ, କାଲିକା ପ୍ରସାଦ, କରଡାମଡା ଓ ଚନ୍ଦ୍ରଶେଖର ପ୍ରସାଦର ଗାଁ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରନ୍ତି।

ରାସ୍ତା ଦେଇ ପାଖାପାଖୀ ୬ଟି ଗାଁର ୪ ହଜାର ଲୋକ ଯିବା ଆସିବା କରନ୍ତି। ନାଳର ଗୋଟିଏ ପଟେ ଗାଁ ଓ ଅନ୍ୟପଟେ ସ୍କୁଲ। ମଝିରେ ଭରା ପାଣି ପ୍ରବାହିତ ନାଳ। ତେବେ ଏହି ନାଳ ଭିତରେ ଯେମିତି ଫସି ଯାଇଛି କୁନି କୁନି ପିଲାଙ୍କ ଭବିଷ୍ୟତ। ସ୍କୁଲ ଆସିବାକୁ ହେଲେ ଓଦା ହୋଇ ଆସିବାକୁ ପଡୁଛି। ସେଇ ଓଦା ଡ୍ରେସରେ ବସି ପଢିବାକୁ ପଡୁଛି। ଗ୍ରାମବାସୀ ଓ ସ୍କୁଲର ପ୍ରଧାନ ଶିକ୍ଷକ ପାଣିରେ ପସି ଓଦା ହୋଇ ସ୍କୁଲ ପିଲାଙ୍କୁ ପାର କରାନ୍ତି। ପିଲା ମଧ୍ୟ ଏହି ବର୍ଷା ୪ ମାସ ସ୍କୁଲକୁ ଆସୁନଥିବା ଅଭିଯୋଗ ହୁଏ। ତେବେ ନାଳ ଉପରେ ବ୍ରିଜ ଟିଏ ହେଲେ ପିଲା ସୁବିଧାରେ ଯାତାୟାତ କରିପାରିବେ। ତୁରନ୍ତ ବ୍ରିଜ ଟେ କରିବାକୁ ଲୋକେ ଦାବି କରିଛନ୍ତି ।