ରାଜ୍ଯ ସରକାରଙ୍କୁ ଭୃଗୁଙ୍କ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ଚିକିଟି ମଦମୃତ୍ଯୁ ପରେ ବି ଲାଗୁଛି ସରକାରଙ୍କ ଚେତା ପଶିନି । ରାଜ୍ୟରେ ଆଉ ୧୬ଟି ବିଶେଷକରି କୋରାପୁଟ ଜିଲ୍ଲାରେ ୮ ଦେଶୀ ମଦ ଭାଟି ଖୋଲିବା ଲାଗି ବିଜ୍ଞାପନ ଦେଇଛନ୍ତି । ଏସବୁ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ଗୋଟିଏ ପଟେ ଡ୍ୟାନ୍ସ ବାରକୁ ବାରଣ କରିଥିବା ବେଳେ ଅନ୍ୟପଟେ ରାଜ୍ୟରେ ୧୬ଟି ଦେଶୀ ମଦ ଭାଟି ଖୋଲିବାକୁ ବିଜ୍ଞାପନ ବାହାର କରିବା କଣ ସୂଚାଉଛି ବୋଲି ପ୍ରଶ୍ନ କରିଛନ୍ତି ଭୃଗୁ । ଖାଲି ସେତିକି ନୁହେଁ କୋରାପୁଟ ଭଳି ଆଦିବାସୀ ଗରିବ ଖଟିଖିଆ ବହୁଳ ଜିଲ୍ଲାରେ ୮ଟି ଦେଶୀ ମଦ ଭାଟି ଖୋଲିବା ଲାଗି ବିଜ୍ଞାପନ ଦେବା ଜିଲ୍ଲାବାସୀଙ୍କୁ ବିଚଳିତ କରିଛି । ବହୁ ଆଦିବାସୀ ଦେଶୀ ମଦ ପିଇ ସେମାନଙ୍କ ଜୀବନ ନଷ୍ଟ କରିବାକୁ ରାଜ୍ୟ ସରକାର ମସୁଧା ଚଳାଇଥିବା ଭୃଗୁ ଅଭିଯୋଗ ଆଣିଛନ୍ତି । ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟର ଦୁଇ ଦୁଇ ଜଣ ମନ୍ତ୍ରୀ  ଜେନାପୁରକୁ କାହିକିଁ ଯାଇ ପାରୁନାହାନ୍ତି ? ଅଘଟଣର ଦୀର୍ଘ ଦିନ ପରେ ବିଧାୟକ ଯାଇ ହଟହଟା ହୋଇଛନ୍ତି । ଏହା ଦୁର୍ଭାଗ୍ୟର କଥା ବୋଲି କହିଛନ୍ତି ଭୃଗୁ । ସରକାରଙ୍କ ଅବକାରୀ ନୀତିରେ କିଛି ବି ସ୍ପଷ୍ଟତା ନାହିଁ । କିଏ କଣ କହୁଛନ୍ତି ତାର କିଛି ଠିକ ଠିକଣା ରହୁନି । ସେଥିପାଇଁ କୋରାପୁଟ ଜିଲ୍ଲାରେ ବାହାର କରିଥିବା ଦେଶୀ ମଦ ବିଜ୍ଞାପନକୁ ତୁରନ୍ତ ବାତିଲ୍ କରିବାକୁ ଦାବି କରିଛନ୍ତି ଭୃଗୁ ।