ଦୁଇ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା:ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କଲା ମହାବିକାଶ ଅଘାଡ଼ି

1 min read

ମହାରାଷ୍ଟ୍ର: ଠାଣେର ନର୍ସରୀ ସ୍କୁଲରେ ୨ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କଲା ମହାବିକାଶ ଅଘାଡ଼ି। ବିଭିନ୍ନ ସ୍ଥାନରେ ମୁହଁରେ କଳାପଟି ବାନ୍ଧି ଆନ୍ଦୋଳନ କରିଛନ୍ତି କଂଗ୍ରେସ, ଏନସିପି ଓ ଶିବସେନା-ୟୁବିଟି କର୍ମୀ। ରାଜ୍ମଯରେ ହିଳାଙ୍କ ବିରୋଧରେ ଅପରାଧ ଓ ହିଂସା ପ୍ରତିବାଦରେ ଆଜି ମହାବିକାଶ ଅଘାଡି ବା ଏମଭିଏ ଅଂଶୀଦାର କଂଗ୍ରେସ, ଏନସିପି, ଶିବସେନା(ୟୁବିଟି) ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦକୁ ପ୍ରତ୍ଯାହାର କରିନିଆଯାଇଥିଲା।
ଗତକାଲି ବନ୍ଦ ଉପରେ ବମ୍ବେ ହାଇକୋର୍ଟ ରୋକ ଲଗାଇବା ପରେ ବନ୍ଦ ପାଳନ କରାଯିବା ନିଷ୍ପତ୍ତିରୁ ଓହରିଥିଲା ଏମଭିଏ। ବନ୍ଦ ନ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ। ଏପରିକି ବନ୍ଦରେ ସାମିଲ ହେଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଶାସନକୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ। ମହାରାଷ୍ଟ୍ର ଠାଣେ ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା ଘଟଣାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା । ଏହି ଘଟଣାକୁ ନେଇ ଗତ ୨୦ ତାରିଖରେ ହଜାର ହଜାର ଲୋକ ରେଳ ଷ୍ଟେସନରେ ହଲ୍ଲାବୋଲ କରିବା ସହ ରେଳରୋକ କରିଥିଲେ । ପୋଲିସ ଉପରକୁବି ଟେକାପଥର ମାଡ କରିଥିଲେ ଆନ୍ଦୋଳନକାରୀ । ଏହି ଘଟଣାରେ ୨୫ ଜଣ ପୋଲିସ ଆହତ ହୋଇଥିବାବେଳେ ୭୨ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପୋଲିସ । ଏପରିକି ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ସେପଟେ ଦୁଇ ଛାତ୍ରୀଙ୍କୁ ନେଇ ଆସିଛି ମେଡିକାଲ ରିପୋର୍ଟ। ଗତ ୧୫ ଦିନ ଧରି ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ରିପୋର୍ଟରେ ପ୍ରମାଣ ମିଳିଛି। ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିପରି ନିଯୁକ୍ତି ଦିଆଯାଇଥିଲା ତାହାକୁ ନେଇ ବି ଉଠିଛି ଅନେକ ପ୍ରଶ୍ନ। ତେଣେ ଏସଆଇଟି ନିଜ ରିପୋର୍ଟରେ ସ୍କୁଲର ପରିଚାଳନା କମିଟି ସଦସ୍ଯଙ୍କ ନାଁ ସ୍ଥାନୀତ କରିଛି। ଗତ ଅଗଷ୍ଟ ୧୩ରେ ସ୍କୁଲରେ ଟଏଲେଟରେ ଘଟିଥିଲା ଘଟଣା। ଅଗଷ୍ଟ ୧୬ରେ ଏନେଇ ଅଭିଭାବକଙ୍କ ପକ୍ଷରୁ ପୋଲିସକୁ ଦିଆଯାଇଥିଲା ଏଫଆଇଆର। ଅଗଷ୍ଟ ୧୭ରେ ଗିରଫ ହୋଇଥିଲା ୨୩ ବର୍ଷ ବୟସ୍କ ଅଭିଯୁକ୍ତ ଅକ୍ଷୟ ସିନ୍ଦେ।