ମହିଳାଙ୍କୁ ଭକୁଆ ବନେଇଛି ବିଜେପି :କଂଗ୍ରେସ

ଭୁବନେଶ୍ବର: ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ନଗଣ୍ଯ ସହାୟତା ରାଶି ଘୋଷଣା କରି ରାଜ୍ଯର ଲକ୍ଷ ଲକ୍ଷ ମାଆ ମାନଙ୍କୁ ଭଣ୍ଡାଇଛନ୍ତି ମୋହନ ସରକାର । ନିର୍ବାଚନ ପୂର୍ବରୁ ୫୦ ହଜାର ଟଙ୍କା ଦେବାକୁ କହି ଏବେ ବର୍ଷକୁ ୧୦ ହଜାର ତା ପୁଣି ଦୁଇଟି କିସ୍ତିରେ ଦେବାକୁ ଅଣାଯାଇଛି ଏସଓପି । ରାଜ୍ଯ ସରକାରଙ୍କ ପାଖରେ ଅର୍ଥବଳ ନାହିଁ ତାହା ଜଳ ଜଳ ହୋଇ ଜଣାପଡିଯାଉଛି । ଋଣ କରି ଘିଅ ଖାଇବାରେ ଓସ୍ତାଦ ବିଜେପି ସରକାର । ସୁଭଦ୍ରା ଯୋଜନାରେ ଗତକାଲି ରାଜ୍ଯ ସରକାର ଘୋଷଣା କରିଥିବା ଏସଓପିକୁ ନେଇ ଏପରି ବର୍ଷିଛି କଂଗ୍ରେସ । ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପ୍ରଶ୍ନ ବାଣରେ ମୋହନ ସରକାରଙ୍କୁ ଘାଇଲା କରିଛି । ନିର୍ବାଚନ ପୂର୍ବରୁ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେବେ ବୋଲି ଘୋଷଣା କରିଥିଲେ । ହେଲେ ଏବେ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ଲେଖାଏଁ ଉପକୃତ ହେବେ ବୋଲି କହୁଛନ୍ତି । ଏପରି ହେଲେ ମୋହନ ସରକାରଙ୍କ ଗଣିତ ଯେ ଭୁଲ ତାହା ପ୍ରମାଣିତ ହୋଇଯାଇଛି । କାରଣ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ମହିଳା ଉପକୃତ ହେଲେ ତାହା ମୋଟ ୧୩ ଲକ୍ଷରୁ କିଛି ଅଧିକ ହେବ । ଏପରି ସ୍ଥିତିରେ କୋଟିଏ ମହିଳା କେମିତି ଉପକୃତ ହେବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେହିପରି କେନ୍ଦ୍ର ସରକାରଙ୍କ କ୍ଯାବିନେଟରେ ଜଣେ ୬୫ ବର୍ଷର ମହିଳା ଅର୍ଥ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି । ଏପରିସ୍ଥଳେ ଓଡ଼ିଶାର ୬୦ ବର୍ଷରୁ ଅଧିକ ବର୍ଷର ମହିଳା ସୁଭଦ୍ରା ଯୋଜନାରେ କାହିଁକି ସାମିଲ ହେବେନି । କାହିଁକି ସେମାନେ ଅଯୋଗ୍ଯ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।